ପ୍ରଚ୍ଛଦ ଚରିତ୍ର
ପ୍ରଚ୍ଛଦ ଚରିତ୍ର
ଆଶା ଉଆସରେ ସ୍ୱପ୍ନ ମୁଁ ସଞ୍ଚୟି
ବିଶ୍ୱାସର ସ୍ତମ୍ଭ ନେଇ,
ଉଆସ ଭାଙ୍ଗିଲା ସ୍ୱପ୍ନ ଯେ ତୁଟିଲା
ଅବିଶ୍ୱାସ ଚୋଟ ଖାଇ ।୧।
ସ୍ୱପ୍ନେ ଭିଜିଥିଲି ସ୍ୱପ୍ନେ ହଜିଥିଲି
ସ୍ୱପ୍ନ ହିଁ ତ ଥିଲା ସାର,
ନିଦ ଭାଙ୍ଗିଗଲା ଆଖି ଖୋଲିଗଲା
ସବୁ ହେଲା ଛାରଖାର ।୨।
ସ୍ବପ୍ନର ନଅର ବାସ୍ତବେ ଭାଙ୍ଗୁର
କ୍ଷଣସ୍ଥାୟୀ ସିଏ ଅଟେ,
ଅଭିନୟ ଶେଷେ ଯବନିକା ଅନ୍ତେ
ସ୍ୱପ୍ନିଳ ପରଦା ହଟେ ।୩।
ପରଦା ହଟିଲେ ରଙ୍ଗ ଖସିଗଲେ
ସତ୍ୟତା ପଡ଼ଇ ଧରା,
ନୀଳ ବର୍ଣ୍ଣଧାରୀ ପ୍ରଚ୍ଛଦ ପଟରେ
ଶୃଗାଳ ଲୁଚିଛି ପରା ।୪।
ମୁଖା ଫିଟିଯାଏ କ୍ଷଣ ମୁହୂର୍ତ୍ତରେ
ସ୍ୱାର୍ଥର ଡାକରା ପାଇ,
ତୋଷାମୋଦି ସିଏ ସ୍ୱାର୍ଥ ଅନ୍ୱେଷଣୀ
ହେଉଥାଏ ମୁହିଁ ମୁହିଁ ।୫।
ଚାଟୁ କଥାକାର ବୀର ଧୁରନ୍ଧର
ନିଜ କାର୍ଯ୍ୟ ସିଦ୍ଧି ପାଇଁ,
ସର୍ବ କୌଶଳତା ଆପଣେଇ ପାରେ
କୁଣ୍ଠାବୋଧ ତିଳେ ନାହିଁ ।୬