ଜଗଜ୍ଜନନୀ ମାଆ
ଜଗଜ୍ଜନନୀ ମାଆ
ଜଗତ ଜନନୀ ମାଆ ତୁମେ ମହିଷା ମର୍ଦ୍ଦିନୀ
ଦୁର୍ଗତି ନାଶିନୀ ମାଆ ତୁମେ ଅଭୟ ଦାୟିନୀ
ପ୍ରଶାନ୍ତି ପ୍ରବାହିନୀ ମାଆ ହେ ଦୁଷ୍ଟ ବିନାଶିନୀ
କରୁଣା ଦିଅ ଗୋ ଭରି ତୁମେ ମା କୃପାକାରିଣୀ ।
ହରିନିଅ ପାପ ବୋଲି ସକଳ ଯେ ଶରଣରେ
ଦୟାମୟୀ ରୂପ ତୋର ଦୟା ଥାଉ ଆମଠାରେ
ଉନ୍ମନାରେ ଭକ୍ତି ଭାବ ହେଉଥାଏ ବ୍ୟାକୁଳିତ
ପାଇବାକୁ ଶ୍ରଦ୍ଧା ତୋର ତୋ ଚରଣେ ଅଧିଶ୍ରିତ ।
ତୋର ରୂପ ଦେଖିବାକୁ ମଣ୍ଡପ ଯେ ଠିଆ ଠିଆ
ଆଲୋକର ମାଳା ଲମ୍ବେ କେତେ ସାଜସଜ୍ଜା ନୂଆ
ଭକ୍ତଜନେ ଭକ୍ତିଭାବ ପ୍ରକୃତିରେ ପ୍ରତିଭାତ
ପାଇବାକୁ ଶକ୍ତି ଶ୍ରଦ୍ଧା ଶୁଭାଶିଷ ସ୍ନେହାମୃତ ।
ଭୂବନମୋହିନୀ ମାତା ଦିଅ ଗୋ ଶରଣ ଥରେ
ଯାଉ ଦୁଃଖ ଯାତନାଦି ଏ ଜୀବନ ଜାହ୍ନବୀରେ
ନିତି ଆସେ କେତେ ରଙ୍ଗେ ନିତି ନିତି ତଦୁପରେ
ଦୁଃଖ କାହିଁ ସରେନାହିଁ ସୁଖ ଖୋଜେ ଲୁହ ଧାରେ।
ଶରତର ଶାରଦୀୟା ପବନର ମହକରେ
କାଶତଣ୍ଡୀ ଫୁଲ ବାସେ ନଦୀ ତୀର ଧାରେ ଧାରେ
ଅପରୂପ ଶୋଭାରାଶି ଫୁଟି ଉଠେ ଧରଣୀରେ
ଦୂର୍ଗାମାତା ବିଜେଲେଣି ନାଚେ ମହୀ ଆନନ୍ଦରେ ।
ମାଆ ତୁମେ ଜଗଦମ୍ବା ଅମ୍ବିକା ଶଙ୍କର ବାମା
ଶୂଳଧାରୀ ମାହେଶ୍ଵରୀ ଉମାଶକ୍ତି ଅନୁପମା
ଶକ୍ତି ରୂପା ସ୍ଵରୂପିଣୀ ତୁମେ ସତ୍ତ୍ୱ ରଜ ତମା
ଆସିଅଛ ଧରାଧାମେ ତୁମେ ଦୂର୍ଗା ତୁମେ ଭାମା ।
ପ୍ରଶାନ୍ତ କୁମାର ହୋତା