କବିର କଥା
କବିର କଥା
ସୃଷ୍ଟିର ରକ୍ଷଣେ ସାଗର ମନ୍ଥନେ
ନିଗିଡିଲା ଯେଉଁ ବିଷ
ତା'କୁ କରି ପାନ ଶମ୍ଭୁ ତ୍ରିଲୋଚନ
ଲଭିଲେ ଆତ୍ମସନ୍ତୋଷ ।
ସତୀ ବିରହରେ କୈଳାସ କୁହରେ
ଦୀର୍ଘ କାଳ ତପ କରି
ପାର୍ବତୀ ସହିତେ ବ୍ରହ୍ମତତ୍ତ୍ବ ଯେତେ
ଶୁକଙ୍କୁ ଦେଲେ ବିତରି ।
କବି ଏହି ମତେ ଜନମି ଜଗତେ
ଦୁଃଖ ହଳାହଳ ପିଇ
ମାରଇ ବିରହ ଜାଳି ଦୁର୍ବିସହ
ଅଜ୍ଞାତବାସରେ ଥୋଇ ।
ଅନୁଭବି ଧାର ଶୋକର ଭଣ୍ଡାର
ଫେଡାଇ କଲମ ଚାଳେ
ଶବ୍ଦକୁ ବିନ୍ୟାସ କରି ଜୀବନ୍ୟାସ
ଦିଅଇ ସାଧନା ବଳେ ।
ମରୁଭୂମି ପରେ କୁସୁମ ସମ୍ଭାରେ
ଆଙ୍କଇ ଭ୍ରମର ଚୁମା
କେବେ ଯୁଦ୍ଧ କ୍ଷେତ୍ରେ ସଜଳ ତା' ନେତ୍ରେ
ମୈତ୍ରୀ ଲଙ୍ଘେ ଶତ୍ରୁ ସୀମା ।
ପ୍ରେମିକଟେ ସାଜି ଅମ୍ବରରୁ ଖୋଜି
ଗୁନ୍ଥେ ତାରା ମୋତି ହାର
ଓଠେ ଆଖି ଲୁହ ବଢାଏ ବିରହ
ପ୍ରଣୟିନୀ କେତେ ଦୂର ।
ଏମିତି ହୃଦୟ ଭାଙ୍ଗି ମୋ ଅଥୟ
କଲମ ମୁନଟେ ଆଜ
ଲେଖୁ ଲେଖୁ ଚିତ୍ର ଚିରି କି ବିଚିତ୍ର
ଦିଶଇ ମନ କାଗଜ ।
ଇଚ୍ଛା ଯାଏ ଘୁଞ୍ଚି ଲୁହ ଯେତେ ବିଞ୍ଚି
କରୁଣ ଲୋଚନ ତଳୁ
ପୁରୁଣା କ୍ଷତକୁ ସାଉଁଳି ହାତକୁ
ସମ୍ଭାଳିଛି କେଉଁ କାଳୁ ।
ମଧୁଲଗ୍ନେ ଆଜି ସ୍ବପ୍ନ ଯାଏ ଭାଜି
ପବନ ପିଟିଲେ ହାତ
ସମୟର ଡାଳେ ଚାନ୍ଦ ଆଢୁଆଳେ
ଲେଖୁଥାଇ ସିନା ଗୀତ ।
ପ୍ରସନ୍ନ କୁମାର ମାଦଳା