ହାଏ ରେ ମୋ ପାୱାର ଚଷମା : ୧୩
ହାଏ ରେ ମୋ ପାୱାର ଚଷମା : ୧୩
ନଈ ସେ ପାରିର ଗାଧୁଆ ତୁଠ
ଶୀତ ଯେ ଜନଙ୍କୁ କରୁଛି ମଠ,
ତଥାପି ଯାଏ ମୁଁ ପ୍ରାତ ପ୍ରହରୁ,
ଦେହ ପଛେ ଭାଇ ଶୀତରେ ଥରୁ ।
ନଈ ଆର ପାରି ତୁଠରେ କିଏ
ନାଲି ପଣତ ପବନେ ଉଡାଏ,
ଭାରି ରସିକିଆ ଏ ବୁଢା ମନ,
ସକାଳ ପହରୁ ହେଲା ଉଚ୍ଛନ୍ନ ।
ସକାଳ ଶୀତକୁ ତିଳେ ନ ଡରି
ଚଞ୍ଚଳେ ହେଲି ମୁଁ ନଈକୁ ପାରି ,
ଗାଧୁଆ ତୁଠେ ମାଇପି ଗହଳି,
ଜାଣନ୍ତି ଯଦି ରେ ପଡ଼ିବ ଗାଳି ।
ଧୀରେ ପାଦ ଥୋଇ ପହଞ୍ଚି ମୁହିଁ
ନାଲି ପଣତକୁ ଯେବେ ଦେଖଇ,
ଧିକ୍କାର କଲି ମୁଁ ନିଜକୁ ନିଜେ,
କାହିଁ ଏ ବୟସେ ସୁନ୍ଦରୀ ଖୋଜେ ।
ପଣତ ନୁହେଁ ସେ ଥିଲାରେ ବାନା,
ରସିକ ମନ ଏ ଉଚ୍ଚ୍ହୁଳେ ସିନା,
ବାଉଁଶରେ ଲାଗି ନାଲି ପତାକା,
ମନକୁ ମୋହର ଦେଲାରେ ଧୋକା ।
ପୁଣିରେ ପାୱାର ଚଷମା ମୋର,
ଦେଲୁ ପୁଣି ଧୋକା କି ହରବର,
ନୀତି ପ୍ରତି ଖାଏ ତୋହରି ରାଣ,
ବୁଜି ଦେବି ଆଖି କରି ମୁଁ ପଣ ।
ତଥାପି କାହୁଁ ଯେ ସମ୍ଭାଳେ ମନ,
ବୁଢା ଏ ବୟସେ ହୁଏ ଉଚ୍ଛନ୍ନ ।
ମୁନ୍ନା ମହାପାତ୍ର, ଗୁଣପୁର