ମୋ ଛୋଟ ସହରର ସକାଳ
ମୋ ଛୋଟ ସହରର ସକାଳ
ଏଠି ସକାଳ ଆସେ
ପରସ୍ପର ପ୍ରତିଦ୍ବନ୍ଦିତା କରି ଦୌଡ଼ୁଥିବା
ସ୍କୁଲ ବସ୍ ଙ୍କ ଦାଉରୁ
ନିଜକୁ ବଞ୍ଚାଇ
ସ୍କୁଟରରେ ପଛ ଆଡକୁ ମୁହଁ କରି ବସି
ବହି ମେଲାଇ ପାଠ ପଢୁ ପଢୁ
ରାସ୍ତାରେ ଯାଉଥିବା ଲୋକଙ୍କୁ ଦେଖି ଦେଖି
ଯାଉଥିବା ଝିଅଟି ପରି
ବଡ ଚୁଲବୁଲି ଏ ସକାଳ
ସେ ଆଗକୁ ବଢେ
ଅଗରବତୀର ଧୂଆଁ ଚିରି ବାଜୁଥିବା
ଆଖୁ ରସ ମେସିନରେ ବନ୍ଧା ଥିବା
ଘୁଂଗୁର ତାଳରେ
ଆଜି ପୁଣି ଥରେ ଜିଇବାର
ସଂକଳ୍ପ ନେଇ
ଅମାନବୀୟ ଠାଣିରେ ||
ଆମ୍ବୁଲାନ୍ସର ସାଇରନକୁ
ଭୃକ୍ଷେପ ନ କରି ଚାଲୁଥିବା
ଯାନ ବାହନ ଆଉ ପଥିକ ମାନଙ୍କ ଭିଡରେ
ସାଧାରଣ ଜନତା ପରି
ଚାଲୁଥାଏ
କେବେ ସେ
ଶାନ୍ତ ଆଉ ସଂଯମଶୀଳ
ଜଗିଙ୍ଗ କରି ଆସିଥିବା
ଧାବକର ଅସ୍ୱାଭାବିକ ପଦପାତ ଦ୍ୱାରା
ଉତ୍ତେଜିତ ନ ହୋଇ
ତା ଆଡ଼କୁ ସଂଯମ ଦୃଷ୍ଟିରେ ଦେଖୁଥିବା
ଗଳିର କୁକୁର ପରି ହୋଇ
ସାଉଥ ଇଣ୍ଡିଆନ କେଫେରେ
କାଉଣ୍ଟର ମାଡି ବସିଥିବା ମ୍ୟାନେଜର
ତାର ମୁନିଆଁ ତାର ଡାମ୍ପଣରେ
ଇଡ଼ଲି ଆଉ ଚା' ର ପ୍ରଥମ କୂପନକୁ
ବିଦ୍ଧ କଲାବେଳେ
ସକାଳ ନିଜ ଦେହକୁ ବି
ତନଖି ନିଏ...
ଜାଣିବା ପାଇଁ
କେଉଁଠି ରକ୍ତ
ଝରିଲା ନାହିଁ ତ !
ଅଟା ଚକିରେ ଓହଳିଥିବା
ନଅଟି କଞ୍ଚା ଲଙ୍କା ଆଉ ଲେମ୍ବୁ ମାଳ
ତଳେ ଦୋଳାୟମାନ ସକାଳ
ଅସୁରକ୍ଷା ଭାବନା ଭିତରେ
ନିଜକୁ ନିଜେ
ଧନ୍ୟବାଦ ଦେଉଥାଏ
ରାତି ସାରା ବନ୍ଦ ରୁମରେ ରହିଲା ପରେ
ପିଞ୍ଜୁରୀକୁ ବାହାରକୁ ଟାଣି
ଖରାରେ ରଖାଯାଉଥିବା ବେଳେ
ଜୀବନ ପ୍ରତି ପୁଣି ଥରେ
ଆଶାୟୀ ହୋଇପଡିଥିବା
ବ୍ରଏଲର କୁକୁଡ଼ାଙ୍କ
ଇତସ୍ତତଃ ଚାହାଣୀରେ
ନିଜକୁ ନିଜେ ପାଏ ସେ ||