ସ୍ୱପ୍ନର ମାନବ
ସ୍ୱପ୍ନର ମାନବ
ସ୍ୱପ୍ନର ମାନବ
ନଯାଅ ନଯାଅ ବହି
ହେ ନଦୀ !
ରହିଯାଅ ତୁମେ ଦଣ୍ଡେ ,
ହେବେ ପାରି ତୁମକୁ
ମୋ ଦିଅଁ
ମୋ ନଉକା ପିଣ୍ଡେ।
କାମନା ମୋ ଯିବ ସରି
ବାସନା ମୋ ଯିବ ମରି
ତାଙ୍କ ଚରଣ ଧୂଳି
ଥରେ ଦେଲା ପରେ ଛୁଇଁ ,
କୋଟି ଜନ୍ମ କରିଛି ଅପେକ୍ଷା
ପାଇବାକୁ ତାଙ୍କ ଦେଖା
ମୋ ନଉକା
ତାଙ୍କ ଦାନ ତାଙ୍କରି ପାଇଁ।
ସେ ଗଲା ପରେ ଚାଲି
ନଉକା ହେବ ମୋ ଖାଲି
ବାରମ୍ବାର ହେବ ଜୀବନ୍ତ ଦଗ୍ଧ ,
ମନ ହୁଏ ଅତି ବ୍ୟାକୁଳ
ହୃଦ ଖୋଜେ ପ୍ରେମ ଜଳ
ଚାହିଁଛି ହୋଇ ମନ୍ତ୍ରମୁଗ୍ଧ।
ଜୀବନର କୋଣ ଅନୁକୋଣେ
ଅନୁଭବ କରେ ମୁଁ ତାଙ୍କ ଉପସ୍ଥିତି,
ମନ ଜାଣେ ପ୍ରାଣ ଜାଣେ
ସେ ମୋର ପ୍ରେମ
ସେ ମୋର ପ୍ରୀତି,
ସ୍ୱପ୍ନ ଅଛି ବହୁ ଦୂରେ
ଲାଗେ ମୋତେ କେବେ କେବେ,
ସେ ଆସନ୍ତ୍ି
ପ୍ରତି କ୍ଷଣେ ଜୀବନେ ମୋହର
ଆଖି ଲାଗି ଯାଏ ଯେବେ।
ମୁଁ ଅନୁଭବି
ସେ ମୋର ଅନୁଭବ
ମୁଁ ତାଙ୍କ ପ୍ରାଣ
ସେ ମୋର ପୂର୍ଣ୍ଣ ବଇଭବ
ଏ ଜଗତ କହୁଥାଏ ସଦା,
ସେ ଗଲା ପରେ ଚାଲି
ଜୀବନ ମୋ ହେବ ଖାଲି
ତାଙ୍କ ବିରହରେ
ଧାରାରୁ ମୁଁ ହୋଇଯିବି ରାଧା
ଏ ଜଗତ କହୁଥିବ ସଦା।