ଉଦାସୀ ପାନ୍ଥ
ଉଦାସୀ ପାନ୍ଥ
ରୋମାଣ୍ଟିକ କବି ମାୟାଧର ମାନସିଂହ
ସେଦିନ ସେ ସନ୍ଧ୍ୟାକାଳେ ଆସିଲେ ଅତିଥି
ସରଳ,ସୁନ୍ଦର ଯୁବା, ସୁଠାମ ଗଠନ,
ନୟନେ ରହିଛି କୋଟି ଲୋଚନର ପ୍ରୀତି,
ଗୌର କରେ ଜଳୁଥିଲା ସୁବର୍ଣ୍ଣ କଙ୍କଣ ।
ପାନ୍ଥଶାଳା କ୍ରୀତଦାସୀ-ସେବିକା ସବୁରି,
ଯେ ମାଗିଛି ସେବା ମୋର ଦେଇଛି ମୁଁ ତାରେ,
ନ ମାଗି କିଛି ସେ ପାନ୍ଥ, ନେଲେ ସବୁ ଜୁରି,
ଦେହ ତ ଇତରଙ୍କର-ସେ ନେଲେ ହିୟାରେ ।
ନ ମାଗି କିଛି ସେ ପାନ୍ଥ ଚଳିଲେ ସ୍ବପଥେ,
ପାନ୍ଥଶାଳା ଦ୍ୱାର ଧରି ରହିଲି ଅନାଇଁ,
ବୁକୁ ମୋର ତାଙ୍କ ପଛେ ଗଲା ମନୋରଥେ,
ସର୍ବସ୍ବ ଚରଣେ ଥୋଇ, ଆଣିବ ମଣାଇ ।
ସେ କି ଗୋ ଫେରିବା ଜନ ? - ଚଳିଲେ ସଧୀରେ,
କ୍ରୀତଦାସୀ ଅଶ୍ରୁ ରେଖା ଚୁମ୍ବିଲା ମହୀରେ ।
ସମାପ୍ତ