ପ୍ରତିଭା ପ୍ରତିଭାମୟୀ
ପ୍ରତିଭା ପ୍ରତିଭାମୟୀ
ପ୍ରତିଭାମୟୀ ଗୋ ଅପ୍ରତିମ ତବ ପ୍ରତିଭା ଗଦ୍ୟ ପସରା
'ଅପରିଚିତା'ର 'ପରିଚୟ' କାହୁଁ ସୃଷ୍ଟି କଲ ଅପାସୋରା ।
ତେୟାଳିଶ ସାଲ ଧରାବତରଣ ପର୍ଶୁରାମ ଦାସ ବାଳା
ସାର୍ଥକ କଲ 'ପ୍ରତିଭା' ନାଁ ରଚି ଚରିତ୍ରର ଚିତ୍ରଶାଳା ।
'ବର୍ଷା ବସନ୍ତ ବୈଶାଖ'ର ତାନ ବଢାଇଛି ତବ ଆଭା
'ଅରଣ୍ୟ' ସାଗର 'ମଗ୍ନମାଟି' ର ବାଲିକୁଦା ର ପ୍ରତିଭା ।
'ପୁଣ୍ୟତୋୟା' ସେ ସାଗର ଶିଖାଏ ଲହଡିର 'ଐକତାନ'
'ଶୈଳଶାୟିନି' ପରି ଦିଶିଯାଏ 'ପଦ୍ମପତ୍ରରେ ଜୀବନ' ।
କୋଣାରକ ଶିଳ୍ପୀ 'ମହାମୋହ' ତାର ନିହାଣ ମୁଗୁର ସାଥେ
'ମୋକ୍ଷ' ନଲୋଡି ଲୋଡେ 'ଶିଳାପଦ୍ମ' ଧରିବ ଆପଣା ହାତେ ।
'ଅସମାପ୍ତ' କେବେ ନହେବ ଗୋ ତୁମ ଲେଖନୀ 'ଚପଳଛନ୍ଦା'
'ନିଷିଦ୍ଧ ପୃଥିବୀ' 'ଯାଜ୍ଞସେନୀ'ର ରଚିଲ ଗୋଲଖଧନ୍ଦା ।
ଖାଣ୍ଟି ଓଡିଆଣୀ 'ଝୋଟିପକା କାନ୍ଥ' ସଜାଇଛ ନାନାମତେ
'ଉଲ୍ଲଂଘନ' କେବେ କରିନାହଁ 'ସତୀଅସତୀ'ର ସୀମା କେତେ ।
'ଅକାଦମୀ' ଠାରୁ 'ମୂର୍ତ୍ତିଦେବୀ' ପୁଣି 'ଜ୍ଞାନପୀଠ' ପୁରସ୍କାର
ଭାଷାନ୍ତର ସାରା ଭାରତେ ଭାରତୀ 'କଥାଟିଏ କହୁଁ' ଭାସ୍ୱର ।
ଓଡିଆଣୀର ଯେ ବେଦନା ନିଗାଡି ଦେଇଛ ଲେଖନୀ ମୁନେ
ବ୍ୟାସଦେବ କିବା ପରାଜୟ ବରି ପାଂଚାଳୀ ଗୁଣ କୀର୍ତ୍ତନେ !
'ଭୁଷା'ଠୁ 'ଶନକୀ' 'ମୂଷି' ଠୁ ପାଂଚାଳି ସଭିଏଁ ଅପତ୍ୟ ତବ
ଭାଷା କୋଣାରକେ ସମ୍ରାଟ ଯଥା ଅନଂଗଭୀମ ଦେବ ।