ଅନାବନା କବିତା - 12
ଅନାବନା କବିତା - 12
କଡ ଲେଉଟାଇଲି
ଦେଖିଲି ଲୋଚାକୁଚା କନ୍ଥା ପରି
ପଡିଛି ଶୈଶବ,
ପୁଣି କଡ ଲେଉଟାଇଲି
ଅସାଡ ଦେହ ମୋର
ଗଳିତ ଶବ।
ମୁଁ ମଝିରେ ଝୁଲିରହିଥିବା ଜୀବନ
ବିତିଯାଇ
ବିତିବାକୁ କିଛି ବାକୀ ଥିବା
କ୍ଳାନ୍ତ ଅପରାହ୍ନ।
କାଲି ରାତିରେ
ଆସିଲେ ଈଶ୍ଵର
କହିଲେ ତୋ ଜୀବନ ପାଇଁ
ମନଇଚ୍ଛା ମାଗ୍ ବର
ମୁଁ କହିଲି ତୁ ଜୀବନ କଣ ଜାଣୁ ଯେ
ତୁ ଅମୃତ ଅମର
ନହେଲେ ତୁଚ୍ଛା ପଥର।
ଗୋଟେ ଅଧାଦେଖା ସ୍ବପ୍ନ ବାକିଥିଲା
ସେ ରୁଷି ବସିଥିଲା
ଆଖିକୋଣରେ,
ମୋ ହୃଦର
ପଳ, ରକ୍ତ ତଳେ
ଘର କରିଥିଲା ପାପ ପଙ୍କ
ପଙ୍କ ତଳେ
କୃମି ପରି ଅଧ୍ୟାତ୍ମ
ଛପିଥିଲା କାଦୁଅ ଭୟରେ।
ବଡ ବିଦେହବିଦେହ ଲାଗୁଥିଲା ମୋତେ
ଯେମିତି ବୋରଝାଞ୍ଜି ପୋଖରୀ ପାଣିରେ
ମାର୍ଗଶୀରରେ
କିଏ ଖାଲିଦେହରେ
ବୁଡେଇ ଦେଇଛି ସତେ।
ଈଶ୍ଵର,
ମୁଁ କହିଲି
ଦେହ ଧର
ବୁଭୂକ୍ଷା, ବିଷୟାରେ
ମନ ନିମଜ୍ଜିତ କର
କେବେ ଅନ୍ଧାରରେ ବି
ବସବାସ କର।
ନିଅ ମୋ ଠାରୁ
ମୃତ୍ୟୁ ନିଅ
ରୋଗଶୋକ ନିଅ
ନିଅ କିଂଚିତ ହୃଦୟ
ନିଅ ଲହୁ
ଲୁହ ନିଅ।
ବଡ ବିବଶ ଦିଶିଲେ ଈଶ୍ଵର
ଅାବିର୍ଭାବରେ ଆଲୁଅ
ଅନ୍ତର୍ଦ୍ଧାନରେ ଆଲୁଅ
ଜୀବନ ଜିଇଁନଥିବା ଇଶ୍ବର କଣ ବୁଝନ୍ତି
ଜୀବନ ଅନ୍ଵୟ!!
ଅନୀଲ କୁମାର ପାଢୀ