ସ୍ମୃତି ମୋ ପିଲା ଦିନର
ସ୍ମୃତି ମୋ ପିଲା ଦିନର
କିଛି କଥା ଥାଏ ମନେ ପଡିଗଲେ
ବହି ଯାଏ ଅଶ୍ରୁ ଧାର,
ସେଥି ମଧ୍ୟରେ ତ ଅଲଗା ଲାଗଇ
ସ୍ମୃତି ମୋ ପିଲା ଦିନର।
ଧୂଳି ଖେଳ ଠାରୁ ପୋଖରୀ ପହଁରା
ମଜ୍ଜି ଥାଉ ସବୁ ଥିରେ,
ପଙ୍କରେ ବୁଡି କି ଶାମୁକା ଖୋଜି କି
ଖେଳୁ ନୀତି ପୋଖରୀରେ।
ଅନ୍ୟତମ ଥିଲା ଅନ୍ୟ ଏକ ସ୍ମୃତି
ଗୁଣ୍ଡୁରି ପୋକ ଖୋଜିବା,
ନରମ ଧୂଳିକୁ ଖୋଳି ଖୋଳି ଯାଇ
ଗୁଣ୍ଡୁରି ସହ ଖେଳିବା।
ମନେ ପଡ଼ିଯାଏ ପ୍ରଥମ ଦିନର
ଶିକ୍ଷା କେନ୍ଦ୍ର ଯିବା ଦିନ,
ନୁଆଁ ପରିବେଶ ନୁଆଁ ବନ୍ଧୁ ମେଳେ
ଶିକ୍ଷାରେ ନ ଲାଗେ ମନ।
ସମୟର ଘଣ୍ଟି ବାଜି ଯିବା ମାତ୍ରେ
ବଦଳେ ଶିକ୍ଷକ ଯେତେ,
ବିଭିନ୍ନ ବିଷୟ କହି ଯାଉଥାନ୍ତି
ମୁଣ୍ଡରେ ନ ପଶେ ସତେ।
ବୁଝିଲ ବୁଝିଲ କହି କହି ଯା'ନ୍ତି
ନ ଦେଖି ଚେହେରାକୁ,
କେହି ଶୋଉଥାଏ ଶ୍ରେଣୀ ଗୃହରେ ତ
ଲୁଚି କେ ଯାଏ ପଦାକୁ।
କାହିଁ ହଜିଗଲା ସେହି ପିଲା ଦିନ
ସାଙ୍ଗ ସାଥୀ ହସ ଖେଳ,
ସମୟ ଡୋରୀରେ ବନ୍ଧା ଏ ଜୀବନ
କେବେ ହେବ ପୁଣି ମେଳ।
ପାଠ ପଢା ସାଙ୍ଗ ବିଦେଶରେ ଯାଇ
ଚାକିରି କରନ୍ତି ରହି,
ପିଲା ବେଳ କଥା ମନରେ ଆସିଲେ
ଲୁହ ଯାଏ ପୁଣି ବହି।
ନୁଆଁ ନୁଆଁ ବନ୍ଧୁ ଯୋଡି ହୋଇ ଥା'ନ୍ତି
ନୁଆଁ ଜୀବନର ସାଥେ,
ଆଗକୁ ଆଗକୁ ପାଦ ପଡୁଥାଏ
ବଢି ଚାଲେ ନିଜ ପଥେ।
ପରେଶ କୁମାର ବିଶ୍ବାଳ