ଆହେ ଜଗନ୍ନାଥ ଜଗତର ନାଥ
ଆହେ ଜଗନ୍ନାଥ ଜଗତର ନାଥ
ଆହେ ଜଗନ୍ନାଥ ଜଗତର ନାଥ
ଘେନ ମୋ ଭକତି ଅର୍ଘ୍ୟ ;
ସଂସାରର ଭାର ତୁମ ହସ୍ତେ ନ୍ୟସ୍ତ
ହରି ନିଅ ସର୍ବ ଦୁଃଖ !!
ଏ ସାରା ବିଶ୍ୱରେ ତୁମ ଛବି ଭାସେ
ତୁମେ ତ ଜଗତ ପତି ;
ତୁମ ବିନା କିଛି ହୁଏ ନାହିଁ ସୃଷ୍ଟି
ଫେରେ ନା ସୁଖର ରାତି !!
ଏ ଜଗତ ଜାଣିଛି ତୁମେ ଅଧିପତି
ଦୁଃଖି ଜନ ପ୍ରାଣ ବନ୍ଧୁ ;
ତୁମେ କୃପା କଲେ ଗିରି ଲଙ୍ଘେ ପଙ୍ଗୁ
ଅନ୍ଧ ପାଏ ଦିବ୍ୟ ଚକ୍ଷୁ !!!
ଭକତ ଜନର ତୁମେ ହିଁ ପ୍ରିୟର
ବଡ ଦେଉଳିଆ ବନ୍ଧୁ ;
ତୁମେ କୃପା କଲେ ପୁଷ୍ପ ବର୍ଷା ହୁଏ
ଶୁଷ୍କ ହୁଏ ସପ୍ତ ସିନ୍ଧୁ !!
ପୁରାଣ ବର୍ଣ୍ଣିତ କହାଣୀ ପ୍ରତୀତ
ଜନ ମୁଖେ ମୁଖରିତ ;
ଦାସିଆ ନଡ଼ିଆ ତୁମକୁ ବଢିଆ
ସରଧାରେ ନେଲ ସତ !!
ଭକତ ଜନର ଦରଦୀ ଠାକୁର
ବନ୍ଧୁ ମହାନ୍ତିର ମିତ !!
ଅବଢା ବ୍ୟଞ୍ଜନ କଲ ସମର୍ପଣ
ଅଦୃଶ୍ୟେ ବଢ଼ାଇ ହାତ !!
ଭକ୍ତ ସାଲେବେଗ ଜାତିରେ ଯବନ
ଆହା କି ଭକତି ଭାବ ;
ଯୋଜନ ଦୂରରୁ ଶୁଣି ପ୍ରଭୁ ସ୍ୱର
ରଖି ଦେଲ ନନ୍ଦିଘୋଷ !!
ଭକତ ଭାବରେ ବନ୍ଧା ହେ ଠାକୁରେ
ଏହି ପରି କେତେ ଗାଥା ;
ଭକ୍ତ ମନ ଝୁରେ ତୁମରି ପ୍ରୀତିରେ
ଦୂର ହୁଏ ସର୍ବ ବ୍ୟଥା !!
ରତ୍ନ ସିଂହାସନେ ବସିଥା ଠାକୁରେ
ଦୁଃଖି ଜନ ସୁଖ ପାଇଁ ;
ଏ ଜଗତ ବୋଲିବ ଜୟ ଜଗନ୍ନାଥ
ଭକ୍ତିରେ ବିଭୋର ହୋଇ !!
ବଡ ଦେଉଳ ରେ ଉଡୁଥାଉ ନେତ
ପତିତ ଉଦ୍ଧାର ପାଇଁ ;
ଆହେ ମହା ପ୍ରଭୁ ସିଂହଦ୍ୱାରେ ମୁଁ
ରହିଥିବି ସଦା ଚାହିଁ !!
ବଡ ଦାଣ୍ଡ ଧୂଳି ଦେବି ଦେହେ ବୋଳି
ପାପ ମୋର ଯିବ ଧୋଇ ;
ଶ୍ରୀକ୍ଷେତ୍ର ନିବାସୀ ମୁଁ ସାଜିବି ପଡୋଶୀ
ତୁମ ନାମ ଗାଇଗାଇ !!