ବର୍ଷାରେ କବି
ବର୍ଷାରେ କବି
ଶ୍ରାବଣ ଆକାଶୁ ଘୋର ବରଷା ବରଷେ
ଫୁଲିଉଠେ ନଦୀ,ନାଳ ବସୁମତୀ ହସେ ।
ଦିନ ଦିଶେ ରାତି ପରି ସୂରୁଯ କିରଣ
ପଡେନାହିଁ ଘୋଡାଇଛି ମେଘ ଆବରଣ ।।
ଟିପି ଟିପି ଜଳବିନ୍ଦୁ ଝରି ଝରି ଆସେ
ସୈାଦାମିନୀ ଲୁଚକାଳି ଖେଳଇ ଆକାଶେ ।
ଘନଘୋର ବର୍ଷା ସଙ୍ଗେ ମେଘ ଗରଜନ
ପରଦେଶେ ଝୁରେ ବସି ବିରହୀ ଜୀବନ ।।
ତରୁ,ଲଢା ପଲ୍ଲବିତ ସବୁଜ ବରଣା
ସେ କି ମୋ ପ୍ରୀୟା ପଣତ କରେ ଆନମନା ।
ଜାଇ,ଯୁଇ,ହେନା,ହର- ଗଉରା କୁସୁମ
ଫୁଟି ବାସ ଚହଟାଏ ହରେ ମନ ପ୍ରାଣ ।।
ସତେକି ସବୁଜ ଝୀନ ଛିଟ ପତନିରେ
ରସା ଶୋହେ ବର୍ଷାଝରା ଶୀତଳ ସଞ୍ଜରେ ।
ମେଘ ମେଦୁରିତ ଶୂନ୍ୟ ଆକାଶ କୁ ଦେଖି
ଲତାକୁଞ୍ଜେ ଅହିଭୁଜ ନାଚେ ପୁଚ୍ଛ ଟେକି ।।
ନବଦୁର୍ବାଦଳ ଘାସ ଗାଲିଚା ଉପରେ
ସାଧବାଣୀ କି ସୁନ୍ଦର (ତା ନାଲି)ପାଟ ଓଢଣୀ ରେ ।
ମନ୍ଦ ମନ୍ଦ ମୁକ୍ତ ବାୟୁ ପ୍ରବାହିତ ହୁଏ
ମାଟିର ମହକେ ମନ ହଜି ହଜି ଯାଏ ।।
ସୁସ୍କ ଭୂଇଁ କର୍ଦମାକ୍ତ ଟାଙ୍ଗର ଭୂଧର
ଫୁଟି ଝରଇ ସଲିଳ ଝରେ କେତେ ଝର ।
ମଣ୍ଡୂକ ରାବଇ ବସି ସାରୁ ଗଛମୂଳେ
ଫୁଲିଉଠେ ନଦ,ନଦୀ ବରଷା ର ଜଳେ ।।
ସାତରଙ୍ଗ ଇନ୍ଦ୍ରଧନୁ କଳାମେଘ କୋଳେ
ଦେଖିସେ ରୂପ ଲାବଣ୍ୟ ପ୍ରୀୟା ମନେପଡେ ।
ଘନକଳା ମେଘମାଳା ଲଗାଣ ବରଷା
ମନେପଡେ ପରଦେଶେ ମୋର ପ୍ରୀୟରସା ।।