ଜାଗରଣ
ଜାଗରଣ
ଆଉ କେତେକାଳ ଚାଲିବ ଏମିତି?
କେବେଆଉ ବଦଳିବ ନାରୀର ସ୍ୱରୂପ
ଆମ ଏଇ ସମାଜର
ମନ ଆଉ ମାନସ ପଟ୍ଟ ରେ
ବୁଭୁକ୍ଷୁ ନରଭକ୍ଷୀର ଲୋଲୁପ ଦୃଷ୍ଟିରୁ
କେବେ କ'ଣ ମିଳିବନି ମୁକ୍ତି
ଈଶ୍ୱରଙ୍କ ଶ୍ରେଷ୍ଠତମ ସୃଷ୍ଟି,
ସର୍ବଶ୍ରେଷ୍ଠ କଳାକୃତିକୁ?
କେତେଦିନ ତମରି ଇଚ୍ଛାରେ କେବଳ
ବାରମ୍ବାର ବଦଳି ଯାଉଥିବ,
ତା'ର ଚିତ୍ର ଓ ଚରିତ୍ର?
ଏତେକାଳ ବିତିଲା ପରେ ବି
ଆଉପୁଣି କେତେ ଦିନ ଯାଏଁ
ଭୁତ ପରି ଡରୁଥିବ ଛାଇକୁ ତମର
କାହିଁକି ସେ ଡରି ମରି ଚାଲୁଥିବ ବାଟ
ବଂଚେଇ ମହର୍ଗ ତା ଈଜ୍ଜତ ଓ ନାରିତ୍ୱ,
ତମର ସେ ନାଲି ନାଲି ଆଖି ଆକ୍ରୋଶ ରୁ?
କେତେଦିନ?କେତେଦିନ
ସେମାନଙ୍କ ଭାଗର ସଂଜ ଓ ରାତିକୁ
ଜବର୍ ଦଖଲ କରୁଥିବ ତମେ?
ଖରାବେଳ,ଖୋଲାରାସ୍ତା,
ସହର,ବଜାର,ନଇକୂଳ,ନଇପଠା,
ଗାଁ ଦାଣ୍ଡ,ବେଳାଭୂଈଁ ସବୁତ ତମର,
କିଛି ବୋଲି କିଛି ଟିକେ ନାହିଁ କଣ
ତା କପାଳରେ?
କାହିଁକି ସେ ବାରମ୍ବାର ସାଜୁଥିବ,
ନିର୍ଭୟା,ଆରୁଶି ,ଈତିଶ୍ରୀ?
କାହିଁକିସେ ଅବିରତେ ପିଟିଚାଲିଥିବ
କୋର୍ଟ କବାଟ୍ ଆଉ ଫେରୁଥିବ,
ନୈରାଶ୍ୟ ଓ ଲାଂଛନା ମୁଣ୍ଡେଈ?
କେତେଦିନ ସରମି ଯାଉଥିବ
କାନ୍ଥବାଡ,ହୋର୍ଡିଂ ଇତ୍ୟାଦିରେ
ଦେଖି ନିଜ ଲଙ୍ଗଳା,ଫୁଙ୍ଗୁଳା ଦେହ,
ଉନ୍ମୁକ୍ତ ବକ୍ଷୋଜ ଓ ଅଢଙ୍କା ଜାନୁ?
କାହିଁକି ସେ ସହୁଥିବ ଖାଲି
ମୁହଁଖୋଲି କହିବନି କିଛି ,
ଥରେହେଲେ ମାଗିବନି ହକ?
କାହିଁକି ସେ ସହିଯିବ ନିର୍ବିକାରେ
ତମ ଦାଉ ,ତମ ବିଷଜ୍ୱାଳା,
ବର୍ବରତା ଓ ପାଶବିକ ଅତ୍ୟାଚାର,
ବଳାତ୍କାର ଓ ଦୁର୍ବ୍ୟବହାର?
ନା, ଆଖିମଳି ଦେଖ,
ସେ ଏବେ ଜାଗି ଉଠିଲାଣି
ବଂଚେଇ ରଖିବା ପାଈଁ ଯତ୍କିଚିତ୍
ବାକିଥିବା ସ୍ୱାଭିମାନ?ଆତ୍ମ ସମ୍ମାନ?
ହକ୍ ହିସାବରେ ନମିଳିଲା ଯଦି,
ଜବର୍ଦସ୍ତ ଜାହିର କରିବା ପାଇଁ,
ତା ଦେହ,ମନ ଓ ପ୍ରାଣରେ
ଭରିଥିବା ମାତୃତ୍ୱ,ଭଗ୍ନିତ୍ୱ,ପତ୍ନୀତ୍ୱ,
ଇଶ୍ୱରଙ୍କ ସୃଷ୍ଟିରେ ଶ୍ରେଷ୍ଠ ତା ନାରିତ୍ୱ।।
ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)
ହରସିଂହ ପୁର,ପୀରହାଟ ବଜାର
ଭଦ୍ରକ-୩୧