ବୀର ସହୀଦର ଗାଥା
ବୀର ସହୀଦର ଗାଥା
ବୀର ସହୀଦର ଗାଥା ମୁଁ ଗାଉଛି ସରହଦ ମଜବୁତ
ଲେହ ଲଦାଖର ବିଯୁକ୍ତ ତାପରେ ସୁରକ୍ଷା କରେ ନିଶ୍ଚିତ ।
ରାଜସ୍ଥାନ ମରୁ ଭୂମିର ବାଲିରେ ଓଟର ପିଠିରେ ବସି
ଖାଦ୍ୟ ଯହିଁ ଅପହଂଚ ସେଠାରେ ସେ କର୍ତ୍ତବ୍ୟ କରେ ହସି ।
ପଡୋଶୀ ଆମର ଚୀନା ପାକିସ୍ତାନୀ ଏକକୁ ଆରେକ ବଳି
ବାରମ୍ବାର ଅସ୍ତ୍ର ବିରତି ଲଙ୍ଘନ୍ତି ନହୁଏ ତାହାଙ୍କୁ କଳି ।
ପୂର୍ବ ପାକିସ୍ତାନ ଆକ୍ରମଣ କଲେ ପାକିସ୍ତାନୀ ସୈନ୍ୟ ଥରେ
ଭାରତୀୟ ସେନା ଗୋଡାଇଲେ ତାଙ୍କୁ ଧାଇଁଲେ ସେ ଥରହରେ ।
ଷାଠିଏ ହଜାର ପାକିସ୍ତାନ ସେନା ଯୁଦ୍ଧବଂଦୀ ହୋଇଥିଲେ
ଚୁକ୍ତି ବଳରେ ମୁକ୍ତି ଦେଲେ ତାଙ୍କୁ ସରକାର ଦୟା କଲେ ।
ଆଉଥରେ ସୀମାପାରେ ପାକିସ୍ତାନ ଦମନ ଲୀଳା ଆଚରି
ଲାହୋରରେ ପଶି ଗୋଡାଇ ମାରିଲେ ବୀର ସେନାନୀ ଆମରି ।
ଶତୃ ସୈନ୍ୟ କାରଗିଲ ପାହାଡରେ ବଂକର ଖୋଳି ଛକି
ଆକ୍ରମଣ କଲେ ସୈନିକ ଆମର ହତବାକ ନ ହେବ କି !
ଧର୍ଯ୍ୟ ସାହସ ଏକଜୁଟ କରି ନିଶାର୍ଦ୍ଧର ଅନ୍ଧକାରେ
ବୋଫର୍ସ କମାଣ କାନ୍ଧରେ ପକାଇ ପାହାଡ ଚଢିଲେ ଧୀରେ ।
ଶତୃ ସୈନ୍ୟ କିଛି ବୁଝିବା ଆଗରୁ ବଂକର ତାଙ୍କ ଭାଙ୍ଗି
ଛିନଛତ୍ର କରି ଗୋଡାଇ ମାରିଲେ ଧାଇଁଲେ ବନ୍ଧୁକ ଟାଂଗି ।
ବନ୍ୟା ଭୂମିକମ୍ପ ବିପର୍ଯୟ ବେଳେ ସେନା ଅଦମ୍ୟ ସାହସେ
ଉଦ୍ଧାର କାର୍ଯ୍ୟରେ ଅଗ୍ରଣୀ ହୁଅନ୍ତି ଆଖିକୁ କାହାର ଦିଶେ !
ବୀର ସେନାନୀର ବୀରତ୍ଵ କାହାଣୀ ବର୍ଣ୍ଣନାର ସୀମାତୀତ
ତ୍ୟାଗ ବଳିଦାନ ଶେଷରେ ସହୀଦ କରମ ଲିଖନ ସତ ।
ରାଷ୍ଟ୍ରୀୟ ସମ୍ମାନ ମରଣୋତ୍ତର ସେତିକି ସମ୍ବଳ ତାଙ୍କ
ସନ୍ତାନ ଅନୁପ୍ରାଣିତ ହୁଅନ୍ତି କରିବାକୁ ଶତୃ ବାଙ୍କ ।
ରାଷ୍ଟ୍ରୀୟ ମର୍ଯ୍ୟଦା ଦେଶକୁ ଜଣାଏ ସହୀଦର ସନମାନ
ସଲାମ୍ ସହୀଦ ତୁମ ଯୋଗୁଁ ସରହଦର ରହୁଛି ମାନ ।