ସନ୍ଧ୍ୟାର ଭାବନା
ସନ୍ଧ୍ୟାର ଭାବନା
ଗୋଧୂଳି ଲଗନେ ସୂରୁଯ ଗଗନେ
ଢଳିଲେ କି ଶୋଭା ଦିଶେ
ସୁନେଲି ଆକାଶ ଘେନେ ଅବକାଶ
ବହଳ ତମସେ ମିଶେ ।
ବିଦାୟ ବେଳାରେ ଜୀବନ ଖେଳାରେ
ଶ୍ରାନ୍ତ ଭାବନା ବଢେ
ହାନିଲାଭ ସ୍ମୃତି ତିକ୍ତ ଅନୁଭୂତି
ଦିନଚର୍ଯ୍ୟା ମନେ ପଡେ ।
ବାହୁଡା ଚଢେଇ ଆହାର ବଢେଇ
ଶାବକ ନିକଟେ ଧାଏଁ
ନୀଡ ମଧ୍ୟେ ପଶି ନୀରବରେ ବସି
ଭାବୁଥାଏ ମୂକ ପ୍ରାୟେ ।
ଛାତି ତଳ କୋହ ଛାଡି ବଢେ ମୋହ
ଅନନ୍ତ ଆକାଶ ଆଡେ
ସାନ୍ଧ୍ୟ ଅର୍ଘ୍ୟ ନେଇ କୁଳବଧୂ ସେଇ
ଦୀପ ଜ୍ୟୋତିଟିଏ ବାଢେ ।
ଜୀବନ ଯାତନା ଭୁଲି ସେ ପ୍ରାର୍ଥନା
କରଇ କୁଶଳ ଆଶେ
ଅଭିଳାଷ ତାର ବୁଝେ ନିର୍ବିକାର
ସଞ୍ଜତାରା ଉଇଁ ପାଶେ ।
ଶୀତଳ ପବନ ଛୁଅଁଇ ଭବନ
ଦୁଆର ଝରକା ଠେଲି
ଅବସାଦେ ତିନ୍ତା କାଲି ପାଇଁ ଚିନ୍ତା
ପଶୁଥାଏ ଭେଳି ଭେଳି ।
ସୁଖଦୁଃଖ ଭରା କେତେ ପଇଁତରା
ମାଡି ବସେ ଘନ ଛାଇ
ଦିନ ପରେ ରାତି ଚିରକାଳ ସାଥୀ
ବିତୁଥାନ୍ତି ଆସି ଯାଇ ।
ପ୍ରସନ୍ନ କୁମାର ମାଦଳା