ଏନ୍ତୁଡ଼ି କବିତାର
ଏନ୍ତୁଡ଼ି କବିତାର
କେମିତି ଦିଶୁଥିବ ତୁମ ରୂପ
ଯେତେବେଳେ ଏତେ ଏତେ
ସୁନ୍ଦର କବିତା ଲେଖ ତୁମେ
କି ଭଙ୍ଗୀରେ ବସ ତୁମେ
କି ଆଭା ପ୍ରକଟିତ ହେଉଥାଏ
ତୁମ ପ୍ରଜ୍ଞାଦୀପ୍ତ ମୁଖମଣ୍ଡଳରେ
ଝାଳେଇ ଯାଇଥାଅ
ତୁମେ ବୈଶାଖର
ଜଳପୂର୍ଣ୍ଣ ମାଠିଆ ପରି
କିମ୍ବା ଅବନତ ହୋଇଯାଇଥାଏ
ତୁମ ମଥା
ମେଘଭାରାକ୍ରାନ୍ତ ଆକାଶପରି
କିପରି ତୁମେ ଅଣ୍ଟା ବଙ୍କେଇ
ଛିଡା ହୋଇଥିବ
ଆସନ୍ନପ୍ରସବା ମୃଗୁଣୀର
ପୀଡା ନେଇ
କଳ୍ପନା ମେରୁର
ନିରାମୟ ତୃଣଭୂମିରେ
କେମିତି ତୁମର ପତଳା ଆଖିପତା
ପେଲି ଧରିଥିବ
ବୟସୀ ରାତିର ଅନ୍ଧାରକୁ
ଆଉ ଅନିଦ୍ରାକୁ
ସବୁ ପୀଡା ସରିଗଲା ପରେ
କେମିତି ସସ୍ନେହ ଚାଟୁଥିବ
କବିତାର ସେ ମୃଗଶାବକକୁ
ଉନ୍ମୁକ୍ତ ହସ ହସୁଥିବ
ଡେଙ୍ଗା ନୀଳଗିରି ଗଛପରି
ଆକାଶକୁ ଚାହିଁ
କେମିତି ରାତି ହସି ହସି
ଘୋଡାଇ ଦେଉଥିବ ଚାଦର
ତୁମ ଥକିଲା ଦେହରେ