ଅବଳାର ଆର୍ତ୍ତି
ଅବଳାର ଆର୍ତ୍ତି
ହେ ପୁରୁଷ କୁହ ତୁମେ,
କାହାକୁ ମୁଁ କରିବି ବିଶ୍ଵାସ,
କ୍ଷୁଧାର୍ତ୍ତ ପଶୁର ସମ, ଆଦିମ ପ୍ରବୃତ୍ତି ତୁମ
କେବେ ହେବ ସମୂଳେ ବିନାଶ।
ଚାରିରୁ ଚଉରାଶି ଯାଏ, ଶିଶୁରୁ ବୃଦ୍ଧା ହାଏ,
ସବା ଅନ୍ତରେ ସଦା ଡର,
ବିଶ୍ଵଗ୍ରାସୀ ତୁମ ଆଖି, ଅବଳା ନିସ୍ପ୍ରାଣ ଦେଖି
ଭୟେ କମ୍ପମାନ ଥରହର।
ଅନିନ୍ଦ୍ୟ ସୁନ୍ଦର ରୂପ, ବିଷଧର ସରୀସୃପ
ସୁଶିକ୍ଷିତ ସଭ୍ୟ ବିଦ୍ଦଜନ,
ନାହିଁ ଭୟ ଭୀତି ଲଜ୍ଜା, ରୁଚିଶୀଳ ସାଜସଜ୍ଜା
ଘଟାଇଲେଣି କେତେ ଅଘଟଣ।
ମାନବ ସମାଜେ ବାସ, ଜନ୍ତୁ ନା କି ରାକ୍ଷସ
ରହେ ସୁଯୋଗର ଅପେକ୍ଷାରେ,
ଅଦୃଶ୍ୟ ପିଶାଚ ନଖ, ତୀକ୍ଷ୍ଣ ଦନ୍ତ ଭୟାନକ
ଆଡୁଆଲେ ସୁପ୍ତ ଅବସ୍ଥାରେ।
ହେ ପୁରୁଷ କୁହ ମୋତେ, ଦୁଷ୍କର୍ମ ଆଉ ବାକି କେତେ
କେତେ ଅପକର୍ମ ଆଉ ନିତ୍ୟ
ଚଉଦରୁ ଚଉଷଠି, କୁହ କି ନାରୀର ତ୍ରୁଟି
ନର ତୁମେ ରହିଛ ପବିତ୍ର।
ଜାଣ ଦେବଭୂମି ଆମ, ମର୍ତ୍ତ୍ୟ ମଧ୍ୟେ ପୁଣ୍ୟ ଧାମ
ପ୍ରାଚୀନ ପୁରାଣେ ଅଛି ଲେଖା,
କାହିଁକି ସନ୍ନ୍ୟାସୀ ବେଶେ, ସାଧୁ ସନ୍ଥ ଅବଳା ପାର୍ଶ୍ଵେ
ପ୍ରଜ୍ଵଳିତ କାମନାର ଶିଖା।
ବୋଧ ବୁଦ୍ଧି ବିବେକ ହୀନ, ଦର୍ପଣେ ନିଜକୁ ଚିହ୍ନ
ଜନ୍ମ ତୁମ ସେଇ ନାରୀ ଗର୍ଭେ
ହେ ପାମର ଦୁରାଚାରୀ, ପାପ କି ପଡିନି ଭାରୀ
ଦେଖଉଛ ପୈାରୁଷ ସଦର୍ପେ।
କୁହ ହେ ନର, ରାଜନ , କୁତ୍ସିତ ଆଚରଣ
ନିତ୍ୟ କେତେ କରିବ ପ୍ରକାଶ
ହେ ପୁରୁଷ କୁହ ତୁମେ
କାହାକୁ ମୁଁ କରିବି ବିଶ୍ଵାସ।
ଅରୁଣ କୁମାର ମିତ୍ର,
ମୋ ବଣ ମଲ୍ଲୀର କଲି ଗ୍ରନ୍ଥ ର