ପୁରୁଷୋତ୍ତମ ଦେବ(10)
ପୁରୁଷୋତ୍ତମ ଦେବ(10)
ପୁରୁଷୋତ୍ତମ ଦେବ
(10)
(ଐତିହାସିକ କାବ୍ୟାଂଶ)
----------------
ରାଜକନ୍ୟା ମନକଥା ମହାରାଣୀ
ଅଚୀରେ ପାରିଲେ ଜାଣି,
ଦାସୀ ଏକ ଆସି ପୂର୍ଣ୍ଣ ଉପାଖ୍ଯାନ
କହିଲା ତାଙ୍କୁ ବଖାଣି।
ମାଆ ସିନା ବୁଝେ ମନର କଥାଟି
ଆଉ କେ ବୁଝିବ କାହିଁ?
ମାଆ ହୃଦୟର ଦର୍ପଣେ ଝିଅର
ପ୍ରତିବିମ୍ବ ଥାଏ ରହି।
ଝିଅର ଶୁଖିଲା ମୁହଁ ଦେଖି ରାଣୀ
ନେଲେ ଆଉଜାଇ କୋଳେ,
କହିଲେ "ଧନରେ ! ମନ ଉଣାକଲେ
ବଂଚି ପାରିବିକି ହେଳେ?
ମାଗିଛୁ ତୁ ଯେତେ ଅପୂର୍ବ ଖେଳନା
ଦେଇନାହିଁ କି ମୁଁ ତତେ?
ମାଗିବୁ ଯେବେ ତୁ ସରଗର ଚାନ୍ଦ
ଧରାଇଦେବି ତୋ ହାତେ।
ମାତୃତ୍ବ ଗର୍ବରେ ଫାଟିପଡିଲି ମୁଁ
ଆସିଲୁ ଯେବେ ମୋ କୋଳେ,
ଶୁଝି କି ପାରିବି ତୋର ସେହି
ଉପକାର ଧନ କାଳେ କାଳେ?
ଦୂର ଆକାଶର ଚାନ୍ଦ ହୋଇଥିଲୁ
ପଡିଲୁ ମୋ ହାତେ ଖସି,
କେତେ ଅଲିଅଳେ ବଢାଇଛି ତତେ
ଆହା ମୋ ଶରଦ ଶଶୀ !
ଖାଇ ଜାଣିନୁ ତୁ ପିନ୍ଧି ଜାଣିନୁ ଲୋ
ଜାଣିନୁ ତ ସ୍ନାନକରି,
ସବୁବେଳେ ମାଆ ଦରକାର ଧନ
ଏବେ ଭୁଲିଲୁ କିପରି?
ମନର କଥା ତୁ ମୋଆଗେ ନକହି
ମନରେ ରଖିଚୁ ମାରି,
ଦିନୁ ଦିନ କୃଷ୍ଣପକ୍ଷ ଚାନ୍ଦପରି
ଦେହ ତୋ ଗଲାଣି ସରି।
ଝିଅ ମୋର ଏତେ ବଡ ହୋଇଲାଣି
ଖିଆଲ ନଥିଲା ମୋର,
କେମିତି କେଜାଣି ବୁଝିପାରିଲିନି
ତୋ ମନ ଲୋ ଗଳାହାର !
ମଣ୍ଡିବାକୁ ସତେ ଚାହୁଁଛୁ ମୋ ଧନ
ରାଜବାଟୀ ଉତ୍କଳର,
ଚାଲିଯିବୁ ସତେ ମୋ କୁଳଚନ୍ଦ୍ରମା
ଘର ମୋ କରି ଅନ୍ଧାର !
ଦୁହିତା ତ ଦୁଇକୁଳକୁ ହିତା ଲୋ
ମନା କି ପାରିବି କରି?
ଯେତେ ଦିନ ମୋର କୋଳେ ଥିଲୁ ଧନ
ବଢୁଥିଲା ମୋର ଶିରୀ।
ଆଉ ମନ ଉଣା କରନା ଧନ ଲୋ
ମହାରାଜାଙ୍କୁ ମୁଁ କହି,
ବିବାହ ପ୍ରସ୍ତାବ ଉତ୍କଳ ରାଜାଙ୍କ
ପାଶେ ଦେବି ପଠିଆଇ।
ଶୁଣିଛି କୁମାର ଅତ୍ୟନ୍ତ ସୁନ୍ଦର
ଗୁଣବନ୍ତ,ମହାବୀର,
ଚାହାନ୍ତି ମୋ ଝିଅ ହାତ ଧରିବାକୁ
ଆଉ କିବା ଚିନ୍ତା ମୋର?"
ପାଇ ଆଶ୍ୱାସନା ମାଆଙ୍କ କୋଳରେ
ମୁଣ୍ଡ ଗୁଂଜି ରୂପାମ୍ବିକା,
କହିଲେ "ଜନନୀ ,ମନକଥା ବୁଝି
ପାରିବୁ ସିନା ତୁ ଏକା।"
କ୍ରମଶଃ- ----