ମାଆର ବେଦନା
ମାଆର ବେଦନା
ମାଆ ମାଆ ବୋଲି ଅନ୍ତର ନ ଖୋଲି
ତୁଚ୍ଛାରେ ଆଣିଲୁ ଡାକି
ଦେଖିଲି ଲୋଚନେ ବାସନା ମୋଚନେ
ଯାଉଛୁ ମଦିରା ଚାଖି ।
କୁସଙ୍ଗରେ ମାତି ଯେବେ ଦିନରାତି
ବଢ଼ାଇଲୁ ପାପଭାର
ଦୈତ୍ୟର ସମାନ ମାଂସାହାରେ ଧ୍ୟାନ
ରଖିଅଛୁ ବାରମ୍ବାର ।
ନକରି ବିଚାର ଯେତେ ବ୍ୟଭିଚାର
ସାଥେ କଲୁ ଅପକର୍ମ
ସବୁ ବୁଝିଶୁଝି କାହା ତୁଲେ ଯୁଝି
ସ୍ଥାପନ କରିବୁ ଧର୍ମ ?
କିବା ଆଉ ରଣେ ନିଜ ପୁତ୍ର ଗଣେ
କରନ୍ତି ଶସ୍ତ୍ର ପ୍ରହାର
ସବୁଠି ମାନବ ସାଜିଛି ଦାନବ
କେମନ୍ତେ ହେବ ସଂହାର ?
ମଣିଷ ଧରମ ନାହିଁ ମୋ ମରମ
ସହୁଛି ବେଦନା ଭାରା
ସନ୍ତାନର ହିତେ ଚିନ୍ତା କଲେ ଚିତ୍ତେ
ବହଇ ଲୋତକ ଧାରା ।
ବିଚାରି ମୁଁ ନିଜେ କରିଥିଲି ବିଜେ
ଦେଖିବାକୁ ତୁମ ସୁଖ
ଚାରିଆଡେ ଅତି ବିନାଶର ଗତି
ଜାଣନ୍ତେ ଉଦାସ ମୁଖ ।
କି ଆତଙ୍କବାଦୀ ଅବା ମାଓବାଦୀ
ସେ କି ନୁହେଁ ପୁତ୍ର ମୋର
ନଶୁଣି ବାରଣ ଖୋଜୁଛୁ କାରଣ
ଏହି ତ ବିପତ୍ତି ଘୋର ।
ହିଂସା ଆଚରଣ କଲେ ନିବାରଣ
ମମତାରେ ଭରି ଛାତି
ସ୍ଵାର୍ଥ ଦେଇ ବଳି ପ୍ରୀତି ଭାବେ ଚଳି
ପାରିବୁ ରଖି ତୋ ଜାତି ।
ଜାଗି ଉଠ ଯୁବା ହୋଇଛି ମୁଁ ଉଭା
କରୁ କିମ୍ପା ଆଉ ଭୟ
ସଭିଙ୍କୁ ଯୋଡ଼ାଇ ରଖିବି ଘୋଡ଼ାଇ
ଲଭିବୁ ସର୍ବତ୍ର ଜୟ ।
ନାହିଁ ମୋର ପଣ କରିବାକୁ ରଣ
ଆନମନା ହୋଇ ପୁଣି
ଶାନ୍ତିର ଦେଶରେ ଜନନୀ ବେଶରେ
ରହିବି ଗୁହାରି ଶୁଣି ।
ପ୍ରସନ୍ନ କୁମାର ମାଦଳା