ଅକନ୍ୟା ଜଗତ ଲାଗଇ ଶୂନା
ଅକନ୍ୟା ଜଗତ ଲାଗଇ ଶୂନା
ଆକାଶେ ଅନେଇ ଅମା ଅନ୍ଧକାର
ଅରପି ଦେବାକୁ ଅରଜି କଲି ।
ଆକାଶ କହିଲା "ନାଇଁ ଲୋ ଲାବଣ୍ୟ
ଅନ୍ଧାର ରହିଛି ମୋ'ପାଇଁ ଖାଲି ।"
"ତୋ'ପାଇଁ ଦେଉଛି ବିପୁଳ ନୀଳିମା
ହୃଦୟେ ତୋହର ସଜେଇ ନେବୁ ।
ସେଇ ନୀଳିମାରେ ତୋ'ନୀଳ ଅଗଣା
ମିଠା ମହକରେ ମହକେଇବୁ ।"
ଜହ୍ନକୁ ମାଗିଲି ତା'ଦେହ କଳଙ୍କ
ମୁଠାଏ ଜୋଛନା ବିଛେଇ ଦେଲା ।
ଜୋଛନାରେ ଭିଜି ଅଭିସାରୀ ସାଜି
ମର୍ତ୍ତ୍ୟକୁ ମଣ୍ଡିବି, ଇସାରା କଲା ।
"କଳଙ୍କ ନୁହେଁ ଲୋ,ତୋ'ଭାଗ୍ୟ ଲିଖନ
ତାହା ମୋ'କପାଳ ଦରଦୀ ଦାଗ ।
କାହାରି ଅନିଷ୍ଟ ନୁହେଁ ମୋ'ଅଭିଷ୍ଟ
ତଥାପି ନିୟତି ସୁଝାଏ ରାଗ ।"
ତାରା ମାନେ ସବୁ ଉଙ୍କି ମାରି ମାରି
ଫୁଲ ଗହଣାରେ ହୃଦୟ ମୋର ।
ଅଳଙ୍କୃତ କଲେ ମାଗିବା ଆଗରୁ
ସ୍ତିମିତ ଯଉବନ ତାଙ୍କର ।
କଳା ବଉଦକୁ ମାଗିଲି କାଳିମା
ଉଧାର ଆଣି ସେ ଶୁଭ୍ରତା ଦେଲା।
ଧଳା ବଉଦର ପଣତ କାନିରେ
ଜୀବନ ସାରା ସେ ବନ୍ଧା ପଡିଲା ।
ସୂର୍ଯ୍ୟଙ୍କ ରୁଦ୍ରତା ବୈଶାଖୀ ସାନ୍ଧ୍ରତା
ମମତା ପଣରେ ମାଗି ବସିଲି ।
ସୁନା କିରଣର ସୁନେଲି ମୁକୁଟ
ନରମେ ନରମେ ଦେଲେ ସେ ଢ଼ାଳି।
ଚନ୍ଦ୍ରଭାଗା ତୀରେ ସାଗର ବେଳାରେ
ଉଆଁସୀ ଜୁଆର ଆଶା ମୁଁ କଲି।
ଶାମୁକା ଗରଭୁ ରତନ ଯାଚିଲା
ଯତନେ ତାହାକୁ ସାଉଁଟି ନେଲି ।
କି ଭାଗ୍ୟକୁ ନେଇ ଆସିଲି ଏ ମହୀ
ନିଜେ ମୁଁ ନିଜକୁ ପଚାରୁ ଥିଲି ।
ସଭିଏଁ କହିଲେ ପ୍ରକୃତି କନ୍ୟା ତୁ
ଆମରି ଆଶିଷ ଦେବୁ ଲୋ ଢ଼ାଳି।
ପୁରୁଷକୁ କଲୁ ଲବ୍ଧ ପରାକ୍ରମୀ
ସୁନ୍ଦର ପଣରେ ତୋତେ ସଜେଇ ।
ତୋ'ରି ଦରଦ ତୋ'ରି କଳଙ୍କ
ପ୍ରକୃତି ପ୍ରଜ୍ଞାରେ ଦେବୁ ଲୋ ଧୋଇ।
ମୋହିନୀ,ମାନ ର ପାଖୁଡ଼ାରେ ତୋତେ
ରଖିବୁ ଲୋ କରି ମହାର୍ଘ ଧନ ।
ତୋ'ରି ଗଉରବେ ଗର୍ବ କରିବୁ
ପ୍ରକୃତି ରାଣୀର ବଢିବ ମାନ ।
ତୁ ମାନସ କନ୍ୟା, ତୁ ସାଗର କନ୍ୟା
ପ୍ରକୃତି କନ୍ୟା ତୁ,କନ୍ୟା ସବୁରି ।
ନକ୍ଷତ୍ର ବି ତୁ ଜ୍ୟୋତିଷ୍କ ବି ତୁ
ଜ୍ୟୋତି ତୁ,ରଶ୍ମି, ଲଷ୍ମୀ ଆମରି ।
କନ୍ୟା ଯେ ରତନ, କନ୍ୟା ମହାଧନ
କନ୍ୟାକୁ କରୁଛ କାହିଁକି ଘୃଣା !
ଦୁଇ କୁଳ ପାଇଁ ତା' ମୂଲ ଅମୂଲ୍ୟ
ଅକନ୍ୟା ଜଗତ ଲାଗଇ ଶୂନା ।