ସେଇ ଭାଗ୍ୟ ମୋତେ ଦିଅ
ସେଇ ଭାଗ୍ୟ ମୋତେ ଦିଅ
ପୁରୁଷୋତ୍ତମ ହେ ଜଗତ ଇଶ୍ୱର
ଏଡିକି ନିଷ୍ଠୁର ତୁମେ
କାହା ଭାଗ୍ୟରେ ଫୁଲର ଫଗୁଣ
ଯାତନା ଦେଲ କା କର୍ମେ ।
ଭକତ ଜଟାୟୁ ଡେଣା ଛେଦ କଲ
ଭକ୍ତି ଦେଲ ତା'ର ହୃଦେ
ଭକ୍ତ ରକ୍ଷା ପାଇଁ ବାଳୀ ବଦ୍ଧ କଲ
ସୁଗ୍ରୀଙ୍କୁ ଜିତାଇ ଯୁଦ୍ଧେ ।
ମାତା ସୀତା ଓଠେ ଅଜାଡିଲ ଲୁହ
ଲହୁରେ ଲେଖିଲ ଗାଥା
ଅବୁଝା ସୁତ ମୁଁ ପାରେନାହିଁ ବୁଝି
ତୁମ ମନ ତଳ କଥା ।
ବିଭୀଷଣ ଭାଗେ ସୁନାର ଶ୍ରୀଲଙ୍କା
ନିଜ ପାଇଁ ବନବାସ
ପୁତ୍ର ଲବ କୁଶ ପିତା ସ୍ନେହ ବିନା
ଭାଗ୍ୟକୁ ଦିଅନ୍ତି ଦୋଷ ।
ତୁମେ ଯେବେ ଲେଖ ସବୁ ଭାଗ୍ୟ ପ୍ରଭୁ
ସତୀଙ୍କୁ କାହିଁକି ଝୁର
ନିଜ କପାଳ ରେ ଆଙ୍କିଲନି କାଇଁ
ସୁଖର ମଧୂର ସ୍ୱର ।
ଯୁଗ ଯୁଗ ପାଇଁ ନିଜ ଭାଗେ ଦୁଃଖ
କେଉଁ କାରଣରୁ ବାଛ
ସତେ କି ଠାକୁରେ ବିରହ ଜ୍ୱଳନେ
ଆତ୍ମତୃପ୍ତି ଲଭୁଅଛ ।
କିଛି ମୁଁ ନବୁଝି ଏତିକି ବୁଝୁଛି
ସୁଖେ ତୁମେ ସାତପର
ଦୁଃଖ ଯନ୍ତ୍ରଣାରେ ଛଟପଟ ହେଲେ
ମନ ଖୋଜେ ତୁମ ଦ୍ୱାର ।
ଏତିକି କରୁଣା ଥରୁଟେ କର ହେ
ମୋ ଭାଗ୍ୟେ କଷଣ ଦିଅ
ମିଛ ମାୟା ମୋହ କୁହୁଡ଼ି ସଂସାରୁ
ତୁମ୍ଭ ପାଖେ ଟାଣି ନିଅ ।