ରାକ୍ଷୀ
ରାକ୍ଷୀ
ସୁନ୍ଦର ସମ୍ମୋହନର
ଜ୍ଵଳନ୍ତ ଦୃଶ୍ୟ ପଟ୍ଟଟିଏ ତୁ
କେଉଁ ଏକ ପବିତ୍ର ସମ୍ପର୍କର
ଅମ୍ଳାନ ସ୍ବାକ୍ଷରଟିଏ ତୁ
ଅୟୁତ ଅୟୁତ ଦିନର
ଆଖୋଜା ଅଲୋଡା ହୋଇ ପଡିରହିଥିବା
ଅବଶୋଷ ବୋଧ ଅଳୁନ୍ଧୁ ଲଗା ମନରେ
ମଧୁର ପାର୍ବଣର ଭିଜା ଭିଜା ଋତୁଟିଏ ତୁ
ଖୁନ୍ଦି ହୋଇ ରହିଥିବା
ଯେତେ ହିଂସା ରାଗ କ୍ରୋଧ ଅଭିମାନ
ଦୃଶ୍ୟରୁ ଅଦୃଶ୍ୟ ହେବାର
ସ୍ନେହ ପବିତ୍ରର ସମ୍ମାର୍ଜନୀଟିଏ ତୁ ।
ତୁ ଏମିତି ଏକ ମମତାର ଶୃଙ୍ଖଳଟିଏ
କାରାରୁଦ୍ଧ ହୋଇଯାଏ ମୁହୂର୍ତ୍ତକ ପାଇଁ
ଆଂଜୁଳା ଆଂଜୁଳା ଲୁହ
ମାଟିକୁ ଛୁଇଁବା ପୂର୍ବରୁ ,
ଅହଂକାରର ଯେତେ ନିଷ୍ଠୁର ପୃଷ୍ଠା
ଝଲମଲ ହୁଏ ତୋ ସ୍ନେହସିକ୍ତା ହାତର
କୋମଳ ସ୍ପର୍ଶରେ
ଅନ୍ଧାରରେ ଚିତ୍କାର କରୁଥିଲେ ବି
ସ୍ପଷ୍ଟ ଦେଖି ହୁଏ ଆଲୋକର ରଂଗ
ନିଜ ଅଜଣାତରେ ;
ସବୁ ମୋର ନୀରବତା ଯେତେ ଅନ୍ତର୍ଦାହ
ଲିଭିଯାଏ ତୋ ଆଗମନୀରେ
ଇଷତ ଫିକା ପଡି ଆସୁଥିବା ଦିନଗୁଡିକ
ଡେଣା ମେଲି ଉଡିଯାଆନ୍ତି
ଫର୍ ଫର୍ ଦିଗନ୍ତକୁ ମନଇଛା
ଅସ୍ପଷ୍ଟ ଦିଶୁଥିବା ପାଦ ଚିହ୍ନ ଗୁଡିକ
ଜୀବନ୍ୟାସ ପାଆନ୍ତି ସମୟର ବିସ୍ତୀର୍ଣ୍ଣ ବାଲିରେ ।
ସତରେ ତୁ ଏମିତି ଏକ ପୁଷ୍ପଗୁଛଟିଏ
ମହମହ ବାସୁଥାଏ ଚଉଦିଗ
ଲମ୍ବି ଥାଏ ତୋ ମଧୁର ପଣତ
ମାଟିରୁ ଆକାଶ
ଝରୁଥାଏ ସୋହାଗ ଅମୃତ
ଝଂକାର ତୋଳେ ତୋ ଜୈତ୍ର ଗୀତି
ଯୁଗ ଯୁଗ ଯାଏ ।।
ଶରତ କୁମାର ଦାସ
ଅଧ୍ୟାପକ,ରାଜନୀତି ବିଜ୍ଞାନ ବିଭାଗ
ବଡବିଲ ମହାବିଦ୍ୟାଳୟ,ବଡବିଲ
ଜି-କେନ୍ଦୁଝର-୭୫୮୦୩୫