ଅନ୍ୟଥା ନୁହଁଇ ଲେଶେ
ଅନ୍ୟଥା ନୁହଁଇ ଲେଶେ
ପୂରୁବ ଆକାଶେ ଲୋହିତ ପ୍ରକାଶେ
ବିଭାସେ ଏ ବାଳରବି
ଖେଳଇ ସୁକର କୂଜନ ମୁଖର
ଭୂମେ ଆଙ୍କି ନବଛବି
ରମଣୀୟ ଶୋଭା ଲଭି
ଅବଲୋକି ଦିବା ଅପରୂପ ବିଭା
କବିପ୍ରାଣ ଯାଏ ଦ୍ରବି ।
ସୁଲଭ ପ୍ରତାପେ ଗତି କରେ ଆପେ
ଦିଗନ୍ତ ବିସ୍ତୃତ ନଭେ
ପାଉ ପାଉ ଖରା ମନୋହର ଧରା
ବିହଙ୍ଗମ କଳରବେ
ଚଞ୍ଚଳ ହେଲେଣି ସର୍ବେ
ଲାଗେ କି ପ୍ରଫୁଲ୍ଲ ପ୍ରସ୍ଫୁଟିତ ଫୁଲ
ତରୁଲତା ଭରା ଭବେ ।
ଶୈଶବ କୌମାର ଅତିକ୍ରମି ଯାର
ତେଜୋମୟ ହୁଏ କର
କୈଶୋର ସମୟେ ଊର୍ଦ୍ଧ୍ବେ ଅତିଶୟେ
ବିକ୍ରମ ଆତପ ଖର
ଉନ୍ମାଦେ ବଢଇ ଡର
ମଧ୍ୟାହ୍ନରେ ଶୀର୍ଷେ ଆଭାବନ୍ତ ଦିଶେ
ଛାୟା ଯହୁଁ କ୍ଷୀଣତର ।
ସମୟର ତାଳେ ଅପରାହ୍ଣ କାଳେ
ପ୍ରକୋପ ସଧୀରେ ଟଳେ
ପ୍ରତୀଚୀ ଗଗନେ ଅନ୍ତିମ ଲଗନେ
ଗମେ ସେହୁ ଅସ୍ତାଚଳେ
ବାର୍ଦ୍ଧକ୍ୟ ଗ୍ରାସିବା ଫଳେ
ସରି ଆସେ ଦିନ ହୋଇ ପ୍ରଭାହୀନ
ଦୃଷ୍ଟି ଆଢୁଆଳେ ଢଳେ ।
ଉଦେ ହୋଇ ଅସ୍ତ ହେବାପାଇଁ ଗସ୍ତ
ପୁନରପି ନଭଦେଶେ
ଏହିମତେ ହସି ନିଶାମଣି ଶଶୀ
ବିହରେ ସିତାଂଶୁ ବେଶେ
ଅନ୍ୟଥା ନହୁଏ ଲେଶେ
ବିକାଶ ବିନ୍ୟାସ ପରାନ୍ତେ ବିନାଶ
ଚରାଚର ନିର୍ବିଶେଷେ ।