ଅଭୁଲା ଅତୀତ
ଅଭୁଲା ଅତୀତ
ମନେପଡେ ଏବେ ଅତୀତର କଥା
ଭୁଲି ହେଉନାହିଁ କେବେ
ଶୈଶବ ଜୀବନ ଗାଁରେ କଟିଛି
ସହରରେ ଅଛି ଏବେ l
ଖରା ଦିନ ହେଲେ ସାଙ୍ଗ ସାଥୀ ହୋଇ
ବୁଲୁ ଥିଲୁ ତୋଟା ମୂଲେ
ପାଚିଲା ଆମକୁ ଫାଗୁଡା ମାରିଲେ
ଝଡ଼ି ପଡୁଥିଲା ତଳେ l
ତୋଟା ଗହଳରେ ବସନ୍ତ ପବନ
ବହୁଥିଲା ସୁଲୁସୁଲୁ
କୋଇଲି ସ୍ଵରରେ ସ୍ଵରକୁ ମିଳାଇ
କେତେ ଗୀତ ଗାଉଥିଲୁ l
ବୈଶାଖ, ଜ୍ୟେଷ୍ଠ ପ୍ରଚଣ୍ଡ ତାତିରେ
ହୋଇଗଲେ ଖରା ବେଳ
ଗାଁ ଶେଷ ମୁଣ୍ଡ ବରଗଛ ମୂଳେ
ନିତି ବସୁଥିଲା ଖେଳ l
କେବେକେବେ ପୁଣି ନିଦାଘ କାଳରେ
ହୋଇଲେ ଅସହ୍ୟ ତାତି
ପୋଖରୀ ଜଳରେ ଉବୁଟୁବୁ ହୋଇ
ଖେଳୁଥିଲୁ. ମାତି ମାତି l
ଗାଁ ଅବଧାନ ଛାଟ ଟିଏ ଧରି
କରୁଥିଲେ ଯେବେ ପାଟି
ପଡ଼ି ଉଠି କରି ଧାଇଁଥିଲେ ସର୍ବେ
ଫାଟି ଯାଏ ନଳୀ ଗଣ୍ଠି l
ଅତୀତର କଥା ମନେ ପଡିଗଲେ
ମାଡୁଛି ମୁରୁକି ହସ
ଶୈଶବ ଜୀବନ କେତେ ମନୋହର
ଆଉ ନାହିଁ ସେ ବୟସ l