ଉତ୍ତର ଅପେକ୍ଷାରେ
ଉତ୍ତର ଅପେକ୍ଷାରେ
ମୁଁ ଟିକେ ଅଧିକ ମାଗିଦେଲି,
ସେଦିନ ତୁମେ ମୋ ଆଡ଼େ ଚାହିଁ ଥିଲା ବେଳେ,
ମୃଦୁ ମନ୍ଦ ହସି ହସି, ହାତରେ ମେଞ୍ଚେ କୃଷ୍ଣଚୂଡ଼ା ଫୁଲ ଧରି
କଥା ପ୍ରସଙ୍ଗରେ, "ଆଉ କେତେ ଦିନ ଅପେକ୍ଷାରେ??"
----ପଚାରିଥିଲି।।
ତୁମେ ସବୁଦିନ ଭଳି, ଚପଳତାରେ ଆଡ଼େଇ ଯାଉଥିଲ--
ମୋ କଥାକୁ....ମୋତେ ଭୁଲାଇବାକୁ,
କୃଷ୍ଣଚୂଡ଼ାର ପାଖୁଡ଼ାମାନଙ୍କୁ ହାତରେ ଛିଡ଼ାଇ ଫିଙ୍ଗିଚାଲିଥିଲ,
ମୋ ଉପରକୁ, ମୋ ଅଭିମାନାଗ୍ନିରେ ଝୁଣା ପରି,
ପିଲାବେଳ ଜହ୍ନମାମୁଁ ଗୀତ ଭଳି,
ମୁଁ ବି ଶୁଣୁଥିଲି, କିଛି ପାଇବାର ଆଶା ନେଇ
ମୋ ସର୍ବାଙ୍ଗକୁ ଶବ କରି, ମନକୁ ଵଶ କରି, ହୃଦୟକୁ
ତୁମର କରି..ଆକାଶକୁ ଚାହିଁ,
ଶେଷରେ ପଚାରିଥିଲି," ଟୋପେ ସିନ୍ଦୂର କେବେ ଦେବ??"
ମୋର ଠିକ୍ ମନେ ଅଛି, ତୁମ ମୁହଁ ଥିଲା ପୁରା ବିମ୍ବଫଳ ପରି,
ସିନ୍ଦୁରଠୁ ବି ଆହୁରି ଲାଲ୍....
ହସର ଶୈଳୀ ବଦଳି ଗଲା,
ଇତସ୍ତତଃ ଥିଲ ଆଗରେ ଅଦିନିଆ ଝଡ଼ର ଆଗମନ ଭଳି,
ମୋ ମୁଣ୍ଡକୁ ଆଉଁଶି, ଵୋକ ଦେଲ, ଶିଶୁ ହାତେ ଚୁଚୁମା ପରି,
"ସମୟ ହେଇନି, ଅପେକ୍ଷା କର"-- ବର୍ଷ ବର୍ଷ ଧରି ଗତାନୁଗତିକ ଧାରାରେ ଶୁଣି ଆସୁଥିବା ଶବ୍ଦଗୁଚ୍ଛକୁ ଭେଟି ଦେଲ ମୋତେ, ପୁଣି ଥରେ....ଉତ୍ତର ରୂପରେ----
ମୋ ହତାଶାର ପୁନଃପୌନିକତାରେ ମୁଁ ନିରବ ଥିଲି,
ତୁମେ ବି ଚୁପଚାପ ଥିଲ--ସେ ଧାଡ଼ିକ କହିଲା ପରେ,
ତୁମ ହାତର କୃଷ୍ଣଚୂଡ଼ା ଅଧା-ଛିଡ଼ା ଥିଲା ଠିକ୍ ମୋ ଭବିଷ୍ୟତ ପରି,
ତୁମକୁ କାଲି ପାଇବି, କାଲି ପାଇବି ଭାବି।
ଫ୍ରାନସିସ୍ ଶତପଥୀ