ଅପ୍ରାପ୍ତିର ପରବାସ
ଅପ୍ରାପ୍ତିର ପରବାସ
ଅନନ୍ତ କାଳରୁ ଏଯାଏଁ
ଶ୍ମଶାନର ଏ ଅଭେଦ୍ୟ ପାଚେରୀ ଡେଇଁ
ଖସି ମୁକୁଳି ଯିବାକୁ
କରିଅଛି ସୀମାହୀନ ପ୍ରତୀକ୍ଷା
ଏ ଅଘୋଷିତ କାରାବାସରୁ , କବର ତଳୁ
ଆଉ କୁଆଡେ ମୁକ୍ତ ଆକାଶକୁ
ଅଥବା ତୁମ ସହିତ ଭାବର ସାଗରକୁ
ବଳିନାହିଁ ତିଳେ ବି ତିତିକ୍ଷା ।
ଏଠି ତ ପାତାଳରୁ ଅନ୍ତରୀକ୍ଷ
ପୂର୍ବରୁ ପଶ୍ଚିମ ଆଉ
ପ୍ରାପ୍ତିରୁ ଅପ୍ରାପ୍ତି ଯାଏଁ
ନିରାଶାର ଲାଞ୍ଜ ଲମ୍ବେ ଫଟାଇ ପାଚେରୀ ,
ଅବିଶ୍ରାନ୍ତ ଆବର୍ତ୍ତନ କରାଇବାକୁ
ନିଜ ଶବାଧାର ପାଷାଣ ପଣର
କେନ୍ଦ୍ର ଚାରିପଟେ ହୋଇ ଅଶରୀରୀ ।
ଅଙ୍ଗୀକାର କରିନେବି ପଛେ
ଦୃଶ୍ୟ ଅଦୃଶ୍ଯର ଲୁଚକାଳି
ଆତ୍ମୀୟଙ୍କ ଦୃଷ୍ଟି ପଟଳରୁ ସବୁଦିନ ପାଇଁ
ଲୋଡ଼ା ନାହିଁ ଏଠି ଆଉ
ଦ୍ୱନ୍ଦ୍ୱ ଜର୍ଜରିତ
ନିଶବ୍ଦ ନିଥର ହୃଦୟକୁ ଜାଳି
ମାଟିତଳ ପ୍ରଚ୍ଛନ୍ନ କୋଷରେ
ଆହୁତି ଦେବାକୁ ଯନ୍ତ୍ରଣାର ଘୃତ ଢାଳି ।
ଇଚ୍ଛା ଆଉ ଲାଳସା ତ ଥିଲା ବାକି
ଅକାଳରେ ଛାଡିଲି ବି ଧରା
ଭୟଭୀତ ହୁଅନାହିଁ
ନାହିଁ ଏଠି ସମାଜର ଭାରା
ଏଇ ଭୂଇଁ ପରବାସ , ଆସ ଆସ
ତୁମେ ହିଁ ମୋ ଆପଣାର ପରା ।