ହୃଦୟରେ ହିମକାଳ
ହୃଦୟରେ ହିମକାଳ
ଅବିରତ ନିଜ ଉଷ୍ମତାରେ
ଅନ୍ୟକୁ ଉଷ୍ମତାରେ ଭରି ଦେଉଥିବା
ଉଷୁମ ହୃଦୟରେ ମୋର
ଆଜିକାଲି ଭୀଷଣ ଗୋଟେ ଶୀତଳତା।।
ସତେ ଯେମିତି କୁଢ଼ କୁଢ଼
ବରଫର ପାହାଡ଼ ଭରି ରହିଛି
ତାର ସବୁତକ କୋଠରୀମାନଙ୍କରେ।।
ଅନବରତ ବରଫ ଝଡ଼
ଶୀତଳରୁ ଶୀତଳ କରିଦେଉଛି
ତା ସହ ଘଡି ଘଡି ଏଭେଲାଞ୍ଜ
ଶୋଷି ନିସ୍ବେସ କରିଦେଉଛି
କୋଣ ଅନୁକୋଣରୁ ବାକିତକ ଉଷ୍ମତା।।
ଚୁଟିକିରେ ଅନ୍ୟକୁ ବୁଝେଇପାରୁଥିବା
ହୃଦୟ ମୋ ବଇରୀ ସାଜିଛି
ଦିନୁ ଦିନ ଅବୁଝା ହେଉଛି
ଠିକ ଯେମିତି କଣ୍ଢେଇ ପାଇଁ
ଅଳି କରୁଥିବା କୁନି ପିଲାଟିଏ।।
ଯେଉଁଠି ଦିନେ ଫୁଟି ହସୁଥିଲେ
କେତେ କେତେ କବିତାର ଫୁଲ
କଁଅଳିବାକୁ ବି ନାରାଜ
ଆଜିକାଲି ଶବ୍ଦର ଦୁବଟିଏ।।
କେଜାଣି କେବେ ପୁଣି
ଆସିବ ଆଉ ଏକ ବାସନ୍ତୀ ସକାଳ
ଲାଗୁଚି ପୁଣିଥରେ ଲେଉଟିଛି
ହୃଦୟକୁ ହିମକାଳ।।