ଘାସ ଫୁଲ
ଘାସ ଫୁଲ
ଘାସ ଫୁଲ ଟିଏ ମୁଁ
ସୁଲୁ ସୁଲୁ ବାଆରେ ଦୋହଲୁଥାଏ
ପଡ଼ି ଯିବାର ଲୟ ନାହିଁ
କି ଉଡ଼ି ଯିବାର ଭୟ ନାହିଁ
ମୋ ନୁଆଁଣିଆ ପୃଥିବୀର ଦୃଶ୍ୟ ଦେଖେ
ଗୁଣ୍ଡୁଚି ଭାଇର ଖେଳ,
ପିମ୍ପୁଡ଼ି ନାନୀର ମେଳ
ଭାରି ଭଲ ଲାଗେ ମୋତେ
ପ୍ରକୃତି ହସରେ ହସେ
ସ୍ପୃହା ନାହିଁ ଆନ ରସେ,
ନିଠୁର ତିମିରକୁ ଚିରି
ନିଥରକୁ ନିରେଖି
ମୌନ ସଂଗୀତ ଗାଏ ଏକା ଏକା
ମନରେ ନ ରଖି ଦକା
ମୁଁ ମୋଠୁ ସୃଜାଏ ବୀଜକୋଶ
ଆଉ ବୀଜକୋଶରୁ ହସ
ସମର୍ପଣର ରଙ୍ଗରେ
ଖୁସି ଟିକେ ବିଞ୍ଚିଦେବି ବୋଲି
ସ୍ଵକୀୟ ରଙ୍ଗ ଦେଇ
ବିଶ୍ୱାସର ଧାରେ
ଦୋହଲି ଦୋହଲି
ନିରେଖି ରହିଛି ସୁନେଲି ସକାଳ ପାଇଁ
ଝଡ଼ ବତାସର ଭୀମ ଗର୍ଜନକୁ
କୁଆପଥର ର କ୍ରୁର ବର୍ଷଣକୁ
ସହିଯାଇ ପଥିକର ତୃପ୍ତି ପାଇଁ
ନୀରବ ଭାଷା ମୋର ସଞ୍ଚରି ଯାଏ
ମୋ ପାଖୁଡ଼ାର ପ୍ରତିଟି ବିନ୍ଦୁରେ
ହସି ହସେଇବାର ସୌରଭ ନେଇ