ଶାନ୍ତିଦୂତ
ଶାନ୍ତିଦୂତ
ଗୁପ୍ତ ବନବାସେ ଦାରୁଣ ପ୍ରବାସେ
ବିଚରି ପାଣ୍ଡବ କୁଳ
ନାନା ବିଘ୍ନ ବ୍ୟଥା ମଧ୍ୟେ ସମରଥା
ସାଜିଗଲେ ଦୃଢ଼ମୂଳ
ମୁକୁଳା ପାଞ୍ଚାଳୀ ଚୂଳ
ତେଣୁ ପାଞ୍ଚଭାଇ କୃଷ୍ଣ ପାଶେ ଯାଇ
ବିମର୍ଶିଲେ ହୋଇ ଠୁଳ ।
ସଦା ନୁହେଁ ବକ୍ର କାହା ଭାଗ୍ୟଚକ୍ର
ଦୋଷାଦୋଷ ଅଙ୍କକଷା
ସୁଖ ଦୁଃଖ ରାଶି ପାରିଲେ ତରାସି
ବଦଳେ ସଭିଙ୍କ ଦଶା
ଭୁବନେ ପ୍ରଥିତଯଶା
ରାଜ୍ୟଭୋଗ ହିତ କଲା ବିପରୀତ
ଧୁରୀଣ ଶକୁନି ପଶା ।
କୌରବ ସବଂଶ ପୃଥ୍ଵୀ ହେବ ଧ୍ବଂସ
ଯୁଦ୍ଧ କଲେ ଭାଇ ଭାଇ
ବିଜୟ ମନାସି ପରିଜନ ନାଶି
କି ଲାଭ ମହୀରେ ଥାଇ
ସଂଘର୍ଷ ବାରଣ ପାଇଁ
ଭଗବାନ ନିଜେ ହୋଇଥିଲେ ବିଜେ
ହସ୍ତିନା ନଗରେ ଯାଇ ।
ସମାଧାନ ଆଶେ ଦୁର୍ଯ୍ୟୋଧନ ପାଶେ
ମଧ୍ୟସ୍ଥିରେ ରଖି ଶ୍ରଦ୍ଧା
ମାଗିଲେ ସେ ଯାଇ ଦେଇଦିଅ ଭାଇ
ପାଣ୍ଡବଙ୍କ ପାଇଁ ଅଧା
ଶିରେ ଗୁରୁଭାର ଲଦା
ନିବେଦିଲେ କ୍ଷାନ୍ତି ଆଚରଣେ ଶାନ୍ତି
ପ୍ରାପ୍ତ ହୁଏ ବୋଲି ସଦା ।
ଯଦି ଅଧା ରାଜ୍ୟ ନୁହେଁ ତାଙ୍କ ନ୍ୟାଯ୍ୟ
ମୀମାଂସିତ ପରିଣାମ
ତା' ବଦଳେ ପାଞ୍ଚି ଆସିଅଛି ଯାଚି
ସ୍ବାଭିମାନ ରହୁ ଆମ
ନବୁଡୁ କୁଳର ନାମ
କରୁଣା ନିହିତ ବିଚାରେ ବିହିତ
ହେବ ପାଞ୍ଚଗୋଟି ଗ୍ରାମ ।
ନପାରିଲା ଜାଣି ଆତ୍ମଗର୍ବେ ମାନୀ
ନିର୍ବୋଧ ଗାନ୍ଧାରୀସୁତ
ଆଶଙ୍କା ସୂଚିତ ଥାଇ ବି ଉଚିତ
ବିବେକୁ ହୋଇଲା ଚ୍ୟୁତ
ଏମନ୍ତ ପାମର ଧୂର୍ତ୍ତ
ସ୍ବୀୟ ପରାକ୍ରମେ ଆଦେଶିଲା ଭ୍ରମେ
ବାନ୍ଧିବାକୁ ଶାନ୍ତିଦୂତ ।
ବିପରୀତ ବୁଦ୍ଧି ହୁଏ ଯେଣୁ ବୃଦ୍ଧି
ସୁଖକାଳ ଗଲେ ସରି
କରେ ଅଟ୍ଟହାସ୍ୟ ସମୂହ ବିନାଶ
ନିଜେ ଆମନ୍ତ୍ରଣ କରି
ଅନ୍ଧ ଧୃତରାଷ୍ଟ୍ର ପରି
ଦେଖ ଦୁର୍ଯ୍ୟୋଧନ ବୁଦ୍ଧିରେ ନିର୍ଦ୍ଧନ
ବିବେକ ଗଲା କି ମରି !
ଯା' ଇଚ୍ଛାରେ ବିଶ୍ବ ହୋଇପାରେ ନିଃସ୍ବ
ନଜାଣେ ହସ୍ତିନା ଭୂପ
ଛାଡଇ ହୁଙ୍କାର ଏହି ସେ ମୁଁକାର
ସଜାଏ ଆପଣା ଜୁପ
ଅନ୍ଧାରୀ ମରଣ କୂପ
କଳ୍ମଷ ଲୋଚନେ ଆଶଙ୍କା ମୋଚନେ
ନଦିଶେ ବିରାଜ ରୂପ ।
ଯା' ଗର୍ଭେ ହବନ ଗଗନ ପବନ
ସଚରାଚର ଏ ସୃଷ୍ଟି
ମାୟାଧର ମାୟା ଅକଳନ କାୟା
ନଜାଣେ ଅଧମ ଦୃଷ୍ଟି
ବ୍ୟଭିଚାରେ ଯେଣୁ ତୁଷ୍ଟି
ଲମ୍ପଟ ଅଧମ କୁମତି କର୍ଦ୍ଦମ
ଅବଗୁଣେ ପାଏ ପୁଷ୍ଟି ।
ସମସ୍ତ ପ୍ରକଳ୍ପ ଯାହାଙ୍କ ସଂକଳ୍ପ
ଅନିତ୍ୟ ମାୟିକ ଫାଶେ
କିଏ ପ୍ରତିବାଦୀ ଅସାଧ୍ୟ ଏ ସାଧି
ବାନ୍ଧିପାରେ ପୀତବାସେ
ଶୁଚିସ୍ମିତ ପରିହାସେ
କୁରୁକ୍ଷେତ୍ର ରଣ ପାଇଁ କଲେ ପଣ
ଧର୍ମ ସଂସ୍ଥାପନ ଆଶେ ।