ସଇନିକଟେ ହେବି ( ଶିଶୁକବିତା )
ସଇନିକଟେ ହେବି ( ଶିଶୁକବିତା )
ମାଆ ଓ ମାଉସୀ ପିଠି ମୋ ଆଉଁସି
ଆଦର କରିଲେ କେତେ
ମନ ଦେଇ ପାଠ ପଢି ଭଲ ଚାଟ
ହେବାକୁ ବୁଝାଇ ଯେତେ ।
ପିଲାଳିଆ ଖେଳ ଛାଡି ଏହି ବେଳ
ପଢାରେ ଲଗାଇ ଦେଲେ
ଭଲ ନାମନିଆ ମଣିଷରେ ଠିଆ
ହେବି କାଳେ ବଡ ହେଲେ ।
ବାପା ମୋର ଆସି ମିଠା କଥା ଭାଷି
କରିନେଇ ମୋତେ କୋଳ
କହୁଥିଲେ ଧୀରେ ହାତ ରଖି ଶିରେ
ଚଳିବ କି ହେଲେ ଭୋଳ ।
ଉଚ୍ଚପଦେ ଭାରୀ କରିଲେ ଚାକିରୀ
ସୁଖରେ ରହିବି ବୋଲି
ପାଠପଢା ମୋର କରିବାକୁ ଜୋର
କହିଦେଲେ ମନ ଖୋଲି ।
ମନ ଆଣ୍ଟ କରି ବାପା ହାତ ଧରି
ବିନୟେ କହିଲି ଭାଳି
ଡାକତର ଅବା ଅଫିସର ହବା
ଯଥେଷ୍ଟ ନୁହେଁ ତ ଖାଲି ।
ନମଇ ସେ ପଦେ ବିପଦେ ଆପଦେ
ଦେଶକୁ ଜଗିଛି ଯିଏ
ସୁଖରେ ସରବେ ରହିଛେ ଗରବେ
ଏକଥା ବୁଝେ ବା କିଏ ?
ଭାରତ ମାଆର ଉଚ୍ଚାରି ନାଆଁର
କରୁଥିବି ଜୟ ଜୟ
ଅଖଣ୍ଡ ମୋ ଦେଶେ ସଇନିକ ବେଶେ
ଦୂର କରୁଥିବି ଭୟ ।
କମାଣ୍ଡର ସାଥେ ବନ୍ଧୁକ ମୋ ହାତେ
ଧରିବି ଲଢିବା ପାଇଁ
ଲଢିଲେ ଯତନେ ଶତ୍ରୁଙ୍କ ପତନେ
ଜଗତେ ସୁଯଶ ପାଇ ।
ଜୀବନରେ ଯଦି ବାହି ରକ୍ତ ନଦୀ
ମରେ ମୋର ଦେଶ ପ୍ରୀତେ
ନ ଗଡାଇ ଲୁହ ବୀରଦର୍ପେ କୁହ
ଅମର ଯବାନ ହିତେ ।
ଛଳଛଳ ହୋଇ ମୁଣ୍ଡେ ହାତ ଥୋଇ
କହିଲେ ଆଶିଷ ବାଣୀ
ତୋ ପରି ସନ୍ତାନ ପାଇ ମୋ ମଥାନ
ଉଚ୍ଚା ଥିବ ଗଲି ଜାଣି ।
ପ୍ରସନ୍ନ କୁମାର ମାଦଳା