ପଚା ବରଷ ତଳର ଗାଁ
ପଚା ବରଷ ତଳର ଗାଁ
ପଚାଶ ବରଷ ତଳର ଗାଆଁ,
ନଥିଲା ଏମିତି ଚକଚକିଆ।
ନିଆରା ଥିଲା ସେ କାଳର କଥା,
ଥିଲା ବେଶି ଖୁସି,ଅଳପ ବ୍ୟଥା।
ନଥିଲା ବିଜୁଳି,ପାଣି ଯୋଗାଣ,
ଆଲୁଅ ପାଇଁ କି ଥିଲା ଲଣ୍ଠଣ।
ମାଟି ଆଟୁଘର ନଡା ଛପର,
ଥିଲା ଏକ ଚାଳ ଗାଁ'ଯାକର।
ଖରାଦିନେ ଯେବେ ଲାଗଇ ନିଆଁ,
ଚାଳୁଁ ଚାଳ ଡେଇଁ ଜଳଇ ଗାଆଁ।
ପାଣିଗରା ଧରି ଛପର ଘରେ,
ବସୁଥିଲେ ଯିଏ ଯାହା ଚାଳରେ।
ଦମକଳ ତିନି ଘଣ୍ଟାରେ ଆସେ,
ଯାହା ବାକିଥାଏ ମାଟିରେ ମିଶେ।
ଘରପୋଡି ଠାରୁ ନଥିଲା ଦୁଃଖ,
ଘୋଡା ଚଢାଠାରୁ ନଥିଲା ସୁଖ।
ଘର ସଜାଡିବା କାଠିକ କଥା,
ଆସେ ଦୁଃଖ ନେଇ ଅନେକ ବ୍ୟଥା।
ପଡିଥିଲା ଏକ ରାସ୍ତା ନଈକି,
ଆମ୍ବଗଛ ଥିଲା ଧାଡି ଧାଡିକି।
ବଡ ବରଗଛ ଶହେ ଓହଳ,
ବାଦୁଡି ଝୁଲନ୍ତି ମାଳକୁ ମାଳ।
ଗାଁ'ମୁଣ୍ଡେ ଥିଲା ଶିବ ମନ୍ଦିର,
କାର୍ତ୍ତିକରେ ଭିଡ ଗାଁ ଯାକର।
ଗୋବିନ୍ଦ ଭାଇନା ରାତି ଅଧରେ,
ଶିବଙ୍କୁ ଡାକନ୍ତି ବଡ ପାଟିରେ।
ନିଦ ଭାଙ୍ଗେ ଯା'ର ଶୁଣି ସେ ଡାକ,
ଗାଳି ପଡେ ତାଙ୍କୁ ଦୁନିଆଁ ଯାକ।
ଗାଁ'ମୁଣ୍ଡେ ଭାଗବତ ଟୁଙ୍ଗିରେ,
ଗୋସେଇଁ ପଢନ୍ତି ଉଚ୍ଚା ପାଟିରେ,
ଭାଗବତ ରାମାୟଣର କଥା,
ଥିଲା ବେଶି ଖୁସି,ଅଳପ ବ୍ୟଥା।
ଗାଁରେ ଦୋକାନ ଥିଲା ଗୋଟିଏ,
ଦୋକାନୀ ହରି,ବଅସ ଷାଠିଏ।
ନବେଅଣା ବାକି,ନଗଦ ଦଶ,
ତଥାପି ତା'ମନ ସଦା ହରସ।
ବିଡି,ଡିବିତେଲ,ନିକ ମଥେଇ,
ଧୁଆଁପତ୍ର ,ଚୁନ ସବୁ ମିଳଇ।
ଥିଲା ଚୁଆ-ଗୁଣ୍ଡି ତା ଦୋକାନରେ,
ଡାକବଜା ଦଶଖଣ୍ଡ ଗାଆଁରେ।
ଗଞ୍ଜେଇ ଚିଲମ ଆପୁ ଦୋକତା,
ମିଳେ ତହିଁ ସବୁ ଅମିଳା କଥା।
ମୋବାଇଲି ଥିଲା ସାତ ସପନ,
ଡାକଘରେ ଥିଲା ଗୋଟେ ଫୋଅନ।
ଦୂର ଦୂରାନ୍ତକୁ ଫୋଅନପାଇଁ,
ଡାକଘରେ ଭିଡ କାହିଁରୁ କାହିଁ।
ଅଧାବେଳ ଫୋନ ନକହେ କଥା,
ଥିଲା ବେଶି ଖୁସି ଅଳପ ବ୍ୟଥା।
ରାତିଅଧେ କିଏ ପୋଖତି ହେଲେ,
ଆପାତ କାଳୀନ ବେଳ ଆସିଲେ,
ପାଞ୍ଚ ମାଇଲିରେ ଡାକ୍ତର ଖାନା,
ଖଟିଆରେ ରୋଗୀ ହୁଏ ରବାନା।
ଯାଉଁ ଯାଉଁ କିଏ ମରେ ବାଟରେ,
ଖଟିଆରେ କିଏ ଜନମ କରେ,
ସେ ଦୁଃଖ ଭିତରେ ଥିଲାଟି ସୁଖ,
ପରସ୍ପର ବାଣ୍ଟୁଥିଲେଟି ଦୁଃଖ।
ଗାଁ ବଇଦର ଟୁଣୁଟୁଣିଆ,
ରୋଗ ଭଲକରେ ଫୁଙ୍କି ଗୁଣିଆ,
ଝାଡା,ଛିଙ୍କ ପାଇଁ ହୋମିଓପାତି,
ଦଉଥିଲେ ରାମ ଗୋସେଇଁ ନାତି।
ପଣାପାଣି ଦେଲେ ଦଣ୍ଡା ମୁଣ୍ଡରେ ,
ଠାକୁରାଣୀ ରହୁଥିଲେ ଶାନ୍ତିରେ।
ଚେରମୂଳି କରି ରାମଶଙ୍କର,
ପୋଶୁଥିଲେ ତାଙ୍କ ଛୋଟ ସଂସାର।
ଅଲଗା ଥିଲା ସେ କାଳର କଥା,
ଥିଲା ବେଶି ଖୁସି ଅଳପ ବ୍ୟଥା।
ଡିଜେ ଫିଜେ ଲୋକେ ନଥିଲେ ଜାଣି,
ଥିଲା ହାଡିବାଜା,ମୁଣ୍ଡ- ରୋଷଣୀ,
ପାଲିଙ୍କି,ଘୋଡୀରେ ଆସଇ ବର,
ବାହାଘର ଥିଲା ବଡ ସୁନ୍ଦର,
ଆସ୍କାଫଟି ପିଇ ବରଜାତିଏ,
ମାରପିଟି ହେଉନଥିଲେ କିଏ।
ବନ୍ଧୁ ବାନ୍ଧବଙ୍କ ବେଭାର ବଳେ,
ବାହାଘର ଭୋଜି ସୁନ୍ଦର ଚଳେ।
କିଏ ଆଣିଥାଏ କଦଳିକାନ୍ଧି,
ପୁଣି ଦେଶୀଆଳୁ ଅଖାରେ ବାନ୍ଧି।
କିଏ ଦିଏ ବାଇଗଣ କଖାରୁ,
ମାଛ ଧରାହୁଏ ବଧି ଗାଡରୁ।
ଖେଚୁଡି,ପାଏସ, ଖଟା,ମହୁର,
ବାସନାରେ ଝିଭ ହୁଏ ଅସ୍ଥିର।
ନଥିଲା ଢେଙ୍କିଆ,ନଥିଲା କଳ,
ବୁହାହୁଏ ଗାଁ' କୁଅରୁ ଜଳ,
ଘର ଝିଅ ବୋହୂ ବୁହନ୍ତି ପାଣି,
କାଖେ ଗରା,ମୁଣ୍ଡେ ହାତେ ଓଢଣୀ।
ପରିଶ୍ରମକରି ଥିଲେ ପତଳୀ,
ନଥିଲା ପେଟରେ ମେଦ ଓହଳି।
ହଉପଛେ ବାଧା,ଦିହକୁ ବଥା,
ଥିଲା ବେଶି ଖୁସି ଅପପ ବ୍ୟଥା।
ଘରବାରି ଥିଲା ଫସଲ ଭରା,
ଭେଣ୍ଡି,ବାଇଗଣ,ଆଳୁ ,କଲରା,
ଜହ୍ନି,ଶିମ୍ବ ପୁଣି ପାଣି କଖାରୁ,
ଖଡା,କୋଶଳା,ବୋଦି,ଶଙ୍ଖସାରୁ।
ଖଟି ଖାଇବାର ଥିଲାଟି ପ୍ରଥା,
ଥିଲା ବେଶି ଖୁସି ଅଳପ ବ୍ୟଥା।
ନଥିଲା ତ ଟଙ୍କିକିଆ ଚାଉଳ,
ହରାଭରା ଥିଲା ଗହୀରମାଳ,
ପଡିଆ ନଥିଲା ଧାନ କିଆରୀ,
ଖତମୁତ ଚଷା ବିଲରେ ଭରି,
ପାଉଥିଲା ଧାନ ଷୋଳଅଣିଆ,
ଭରି ରହୁଥିଲା ଡୋଲି,ଓଳିଆ।
ଥିଲା ସିନା ବଢି ମରୁଡି ଡର,
ଦୁଃଖ ସଙ୍ଗେ ସୁଖ ଥିଲା ଅପାର।