ପଶ୍ଚିମାକାଶେ ମନବିରସେ ସୂରୁଜ ଗଲେ ବୁଡି।
ଚଡେଇଜାକ ବସାକୁ ତାଙ୍କ ଆସିଲେଣି ତ ଉଡି ॥
ଗାୟାଳ ଭାଇ ଗାଈଙ୍କୁ ନେଇ ଆସଇ ପାଟୁଁ ଫେରି।
ଗାଈକୁ ବାନ୍ଧି କୁଳୁଚି ହାଣ୍ଡି ଆଣିଲେ ବାପା ଧରି ॥
ମଲ୍ଲି-ମାଲତୀ ଚମ୍ପା-କେତକୀ ଆହୁରି କେତେ ଫୁଲ।
ଫୁଟି ଗଲେଣି ବାଡିରେ ପୁଣି ମହକେ ମନ ପ୍ରାଣ ॥
ହଳୁଆ ଭାଇ ହଳ ଫିଟାଇ ଆସଇ ଗୋରୁ ଆଣି।
ଜୁଆଳି କାଢି ଗୁହାଳେ ବାନ୍ଧି ଦିଅଇ ନଡା ପାଣି ॥
ଛାଡିଣ ଗାତ ଦେଲେଣି ଡାକ ବିଲୁଆ ପାଳି କରି।
କୁକୁର ପଲ ହୋଇଣ ମେଳ ତାଳରେ ଦେଲେ ହୁରି ॥
ଚଉଁରା ମୂଳେ ସଳିତା ଜାଳେ ଘରର ଟିକି ଝିଅ।
ଠାକୁର ଘରେ ପାର୍ଥନା କରେ ଦୀପରେ ଦେଇ ଘିଅ ॥
ସାରିକି ଖେଳ ଛାଡିକି ମେଳ ପିଲାଏ ଆସିଲେଣି।
ଗୋଡକୁ ଧୋଇ ବସ୍ତାନି ନେଇ ପଢାରେ ବସିଲେଣି ॥
ଶୁଭିଲା ଗୀତ ଶ୍ରୀ ଭାଗବତ ଟୁଙ୍ଗିରୁ ନନାଙ୍କର।
କୃଷ୍ଣଚରିତ ଲୀଳା ଅମୃତ ସକଳ ପାପହର ॥
ମୃଦଙ୍ଗ ତାଳେ ନାଚନ୍ତି ଭୋଳେ ଜପନ୍ତି ହରିନାମ।
ଥକନ୍ତି ନାହିଁ କେବେ ବି କେହି ଦିନରେ କରି କାମ ॥
ଧରିକି ବାଡି କୋଦାଳ କୋଡି ଧନୁଆ ଭାଇ ପୁଣି।
ମାହାରା କରି ମଡାଏ ପାଣି ମୁଠାରେ ସାର ବୁଣି ॥
ତାରକାମାନେ ଦୂରଗଗନେ ହେଲେଣି ମିଞ୍ଜି ମିଞ୍ଜି।
ତୋରଣ ଟାଣି ଆଲୋକ ପୁଣି ଦେଲାକି କେହି ଖଞ୍ଜି ॥
ରିମୋଟ ଧରି ଆସନ ପାରି ବସି ଗଲେଣି ଜେଜେ।
ଗୀତ ସମ୍ବାଦ ଧାରାବାହିକ ଦେଖିବା ପାଇଁ ମଜେ ॥
ପରିବା କଟା ବେସର ବଟା କାମ ଯେ ବୋଉ ସାରି।
ଭାତକୁ ଗାଳି ବଘାରି ଡାଲି ରାନ୍ଧନ୍ତି ତରକାରୀ ॥
ପୂର୍ଣ୍ଣମୀ ଜହ୍ନ ଦେଖି ଉଚ୍ଛନ୍ନ ଯୁବତୀ ଝିଅ ମନ।
ଖେଳନ୍ତି ପୁଚି ଖୁସିରେ ନାଚି ପାଟିରେ ଖାଇ ପାନ ॥
ଅନ୍ଧାର ଅତି ଦୁଲୁକେ ଛାତି ଅମାବାସ୍ୟାର ତିଥି।
ଖଦ୍ୟୋତ ପୋକ ଉଡେ ଅନେକ ଜଳେଇ ଦେଇ ବତୀ ॥
ଧାନ କିଆରୀ ନଈ ପୋଖରୀ ଛୁଇଁ କି ବହେ ବାଆ।
ଦିନର ଝାଞ୍ଜି ଯାଏ କି ହଜି ଦେହକୁ ଦିଏ ରାହା ॥
ପବନ ବହେ ଥରାଇ ଦିଏ ଦେହକୁ ଶୀତ ସଂଜେ।
ନିଆଁକୁ ଜାଳି ବସନ୍ତି ମେଳି ଦେହରେ ଦେହ ବାଜେ ॥
ବରଷା ପାଣି ତାଳରେ ପୁଣି ବେଙ୍ଗୁଲି ଦିଏ ଡାକ।
ବାଉଁଶ ବଣେ ଡାହୁକ ଗୁଣେ ଉଡଇ ଝରି ପୋକ ॥
ସଂଜର ବେଳେ ଅନ୍ଧାର କୋଳେ ଗାଆଁ ମୋ ଯାଏ ଶୋଇ।
ସତେକି କିଏ ଘୋଡାଇ ଦିଏ କଳା ଚାଦର ନେଇ ॥
ଆଲୋକ ପରେ ଅନ୍ଧାର ଭରେ ସମୟ ଚକ ଗଡି।
ଅନ୍ଧାର ଗଲେ ଆଲୋକ ଭଲେ ଆସେ ଯେ ପୁଣି ମାଡି ॥
ଜଗତକର୍ତ୍ତା ଦୈବ ବିଧାତା କରନ୍ତି ସବୁ କିଛି।
ଏ ଭବ ବନେ ତାଙ୍କ ବିହୁନେ ନାହିଁ ତ ଅନ୍ୟ ଗତି ॥
---- ----- ------------- -----------
ଶ୍ରୀ ବିନୟ ଭୂଷଣ ମହାପାତ୍ର,