ଛଳନାର ତୁମ ଇନ୍ଦ୍ରଜାଲ
ଛଳନାର ତୁମ ଇନ୍ଦ୍ରଜାଲ
ଭଲ ପାଇବାର କଲ ଅଭିସାର
ମୋହିନୀ ମନ୍ତର ଫୁଙ୍କୁଥିଲ
କୁହୁକ ବିଦ୍ୟାର କାମାକ୍ଷାନଗର
ଅର୍ଗଳି ଫାନ୍ଦରେ ଫନ୍ଦାଇଲ
ମୁକୁଳା ଛାତିର ଝଲସ ମୋତିର
କରିଗଲା ଅନ୍ଧ କାମ ବଶେ
ବଢାଇଲା ତୃଷା ଅଧର ପିପାସା
ଭବ ବନ୍ଧେ ଛନ୍ଦା ମାୟା ଫାଶେ
ଜାଣି ତ ନଥିଲି ପଡିବ ମୋ ବଳି
ସଂଧିରେ ମୁଣ୍ଡକୁ ଜାକିଦେଲ
ଦୁନିଆ ଭୁଲାଇ ଜିଭକୁ ମେଲାଇ
ଗଳେ ଭୁଜହାର ପିନ୍ଧାଇଲ ।
କାମିନୀ ଚଣ୍ଡିକା ଏଡେ ରକ୍ତମୁଖା
ଅହେତୁକ ତାର ଆକର୍ଷଣ
କଲା ବିମୋହିତ ବାସନା ଜଡିତ
ହରିନେଲା ମୋର ତନୁ ପ୍ରାଣ
ଖଣ୍ଡାକୁ ଉଁଚାଇ ଧ୍ବଜ ମୋ ଛିଣ୍ଡାଇ
ଗରମ ଶ୍ବାସକୁ ଶୋଷି ନେଲ
ପାରିଲିନି ଜାଣି କୌଶଳ ପ୍ରମାଣି
ମାନସୀ ଗୋ ତୁମ ଇନ୍ଦ୍ରଜାଲ
ଦିବସେ ଭଁଅରେ ପଦୁଅଁ ଭିତରେ
ମୋହଗ୍ରସ୍ତ ପରି ମଧୁ ବାସେ
ଯୁବାକାଳ ଭେଣ୍ଡା ସାଜିଗଲି ମେଣ୍ଢା
ଭ୍ରମିତ ପ୍ରେମରେ କାମ ରସେ ।
ସଜନୀ ଗୋ ତୁମ ପ୍ରୀତି ନିରୁପମ
ଭାବ ବନ୍ଧନରେ ରଖିଥିବ
ମୁଁ ପରା ତୁମ୍ଭର ଜୀବନ ଆଧାର
ସୁନା ଫରୁଆରେ ସାଇତିବ
ଏତିକି ବିନତି କରୁଥିବା ପ୍ରୀତି
ସାତ ଜନମକୁ ରାଣ ଦେଲ
ନହେଲେ ମରିବି ଗାଇ ବୁଲୁଥିବି
ଛଳନାର ତୁମ ଇନ୍ଦ୍ରଜାଲ ।।