ସ୍ରୋତସ୍ଵିନୀ
ସ୍ରୋତସ୍ଵିନୀ
ଅଙ୍ଗୀକାର ବଦ୍ଧ ଶୁଭୁଅଛି ଶବ୍ଦ
ସେହି କି ଓଁକାର ସତେ
ହୃଦୟର କଥା ଯୁଗ ଯୁଗ ବ୍ୟଥା
ଉଚ୍ଚାରି ଯୋଗିନୀ ମତେ ।
ତପସ୍ଵିନୀ ସାଜି ସ୍ରୋତସ୍ଵିନୀ ଆଜି
ହେଲାଣି ପ୍ରଖରମତ୍ତା
ପାରାବାରେ ଥରେ ମିଶିଗଲା ପରେ
ହଜିବ ସ୍ଵାଧୀନ ସତ୍ତା ।
ପଥର ପ୍ରତାପ ଫଗୁଣ ସନ୍ତାପ
ଅନ୍ତର ଯାକର ଜ୍ଵାଳା
କେତେ ଯେ ସହନ କରିଛି ବହନ
ହେବ ବୋଲି ଗଳାମାଳା ।
ନିଜତ୍ଵ ହଜାଇ ବାସର ସଜାଇ
ଅନ୍ତିମ ମିଳନ ଆଶେ
ଏକ ଲକ୍ଷ୍ୟ ନେଇ ପ୍ରତିଘାତ ଡେଇଁ
ଧାଏଁ ମୂଳଉତ୍ସ ପାଶେ ।
ଗୋପନରେ ଚାଲି ଆସେ କିଏ ଖାଲି
ହୃଦେ ରଚିବାକୁ ନୀଡ
ପୀରତି ନିଶାରେ ଯିବି କୋ ଦିଶାରେ
ଘେରିଛି ତ ବନ୍ଧ ହିଡ ।
ମିଳନ ରାଗରେ ଆଜି ଏ ସାଗରେ
ଉଠୁଛି ବାଷ୍ପୀୟ ଧୂଆଁ
କିଏ ସେ ତରସି ଦେଇଛି ପରଶି
ଅଜଣା ଋତୁର ଛୁଆଁ ।
ମୋ କୂଳ ଧାରରେ କାହାର ଠାରରେ
ଜାଗିଛି ମନରେ ଆଶା
ଚୋରା ଚୋରା ପ୍ରୀତି ଭରିଦିଏ ନିତି
ଓଷ୍ଠେ ଥରଥର ଭାଷା ।
ଏହି ସେ ଦୋଛକି ଗଲିଣି ଗୋ ଥକି
ଆଶଙ୍କା ବହୁଳ ମନ
କହିଦିଅ ଥରେ ରଖିବ ନିଥରେ
କରି ନିଜ ପ୍ରାଣଧନ ।
ପ୍ରସନ୍ନ କୁମାର ମାଦଳା