ଅମୃତାଗ୍ନି
ଅମୃତାଗ୍ନି
ନିଆଁ ପୁଆଁ ନିତି ମନେ ଭରେ ପ୍ରୀତି
ଶୀତୁଆ ସକାଳ ସଂଜେ,
ଅଥୟ ଶରୀରେ ଅମୃତ ଯେସନେ
ଗରୀବର ଦୁଃଖ କୁଂଜେ ॥
ଫଟା ଅଧରରେ ଉଷୁମ ପରଶେ
ଦେହେ ଚନ୍ଦନ ସମାନ,
ମନକୁହା କଥା ତୋଳଇ ଆସର
ଶିଶୁ କଉତୁକ ମନ ॥
ଅଗ୍ନିଦେବ ହୋଇ ଉଷୁମ କମ୍ବଳ
ଫେଡନ୍ତି ଗରୀବ ଦୁଃଖ,
ତାଂକରି ଆଶୀଷ ଲଭିଣ ମାନସ
ମଣନ୍ତି ହୃଦୟେ ସୁଖ ॥
ଗ୍ରୀଷମ ଦିନରେ ସେହି ଅଗ୍ନିଦେବ
ଜନେ ଦେଇ ପରାଭବ,
ତତଲା ତାୱ୍ୱାରେ ଭାଜି ଜଗତକୁ
ପାଳନ୍ତି ଚଇତି ପର୍ବ ॥
ଶମଶାନେ ଖାଇ ବାସ୍ତବ ଶରୀର
ସାଜିଥାନ୍ତି ଯମ ମିତ୍ର,
ଘର ଗ୍ରାମ ଗ୍ରାସି ମହା ଆନନ୍ଦରେ
ସାଜିଥାନ୍ତି ବିଶ୍ୱାମିତ୍ର ॥
ପାକସିଦ୍ଧ କରି ଜଗତ ଜନଂକୁ
ସାଜିଥାନ୍ତି ସଂଜିବନୀ,
ଧୂପଦୀପେ ଦେଇ ପ୍ରୀତିର ପରଶ
ଦେବତାଂକ ସନ୍ଦିପନୀ ॥
ଯଜ୍ଞକୁଣ୍ତେ ପୋଡି ନାସ୍ତିକ ପ୍ରକୃତି
ମନବାଂଛା କରି ପୂର୍ଣ୍ଣ,
ବାହାବେଦୀ ପରେ ନବ ଦମ୍ପତିଂକ
ସାକ୍ଷପାଇଁ ଅବତୀର୍ଣ୍ଣ ॥
ବାରୁଦ ବଲୟେ ସାଜି ମହାକାଳ
ପ୍ରଳୟ ଆଣି ମହୀରେ,
କେଉଁରୂପେ ରୂପ କିବା ଅପରୂପ
ସାଜିଥାଇ ଏ ଧରାରେ ॥