ମା'
ମା'
ମା'
ଗୋଲକ ବିହାରୀ ସାହୁ
ମା'ର ସେନେହ ମା'ର ଆଦର
କିଏ ହେବ ତା' ଭଳି,
ମା' ବଳିଦାନ ମା'ର କଲ୍ୟାଣ
ଧନ ରତନଠୁ ବଳି ।୧।
ମା' ଡାକ ଥରେ ତୁଣ୍ଡେ ଧରିଲେ
ତୃପ୍ତିରେ ମନ ଭରେ,
ବାବୁରେ ତୁହି କେମିତି ଅଛୁ
ଯିଏ ନିତିଦିନ ଝୁରେ ।୨।
ନିଜେ ନ ଖାଇ ସନ୍ତାନ ପାଇଁ
ଆଗେ ଯେ ରଖେ ସାଇତି,
ଜୀବନର ସବୁ ସୁଖକୁ ସମର୍ପି
ଦୁଃଖକୁ କାନିରେ ପାତି ।୩।
ମୋ ପିଲାମାନେ ଭଲରେ ଥାନ୍ତୁ
ଠାକୁରଙ୍କ ପାଖେ ଅଳି,
ନିତି କରୁଥାଏ ସଞ୍ଜ ସକାଳେ
ଧୂପ ଘିଅବତୀ ଜାଳି ।୪।
ମା' ବଳିଦାନ ଶୁଝିବ କିଏ ସେ
ଜୀବନଦଶା ବା ଶେଷେ,
ଯେତେ ସେବାକଲେ ଅସମ୍ଭବ ସିନା,
ମନରେ ତୃପ୍ତି ନଆସେ ।୫।
ନିଜ ଗାଁ ମାଟିରେ କବର ଦେବାକୁ
ଯବାନ ବୁହେ ମା' ଶବ,
ବରଫ ପାହାଡ଼ ଅତିକ୍ରମ କରି
ମୃତଦେହ କାନ୍ଧେ ନେବ ।୬।
ଧନ୍ୟ ସେ ଯବାନ ଧନ୍ୟ ମୃତଦେହ
ଅଛି କା ଭାଗ୍ୟରେ ଲେଖା,
ସ୍ଵାର୍ଥରେ ଜଡିତ ସନ୍ତାନ ସନ୍ତତି
ପାଇବେ କି ମହା ଶିକ୍ଷା ? ।୭।