ଅପରିଚିତା ନାୟିକା
ଅପରିଚିତା ନାୟିକା
କେତେବେଳେ ତୁମେ ଗ୍ରୀଷ୍ମ ଅପରାହ୍ନେ
ଝାଞ୍ଜି ଖରା ସାଜି ଆସ,
କେତେବେଳେ ପୁଣି ଶ୍ରାବଣ ବାରିର
ସ୍ମୃତି ଡଙ୍ଗା ହୋଇ ଭାସ ।
କେତେବେଳେ ତୁମେ ଭାଦ୍ରବ ମାସର
ସ୍ୱଚ୍ଛ ନିରିମଳ ବେଶ,
କେତେବେଳେ ପୁଣି କାଶତଣ୍ଡି ଭଳି
ଶୁଭ୍ର ସୁଶୀତଳ ଦିଶ ।
କେତେବେଳେ ତୁମେ ଶୀତୁଆ ସକାଳେ
ଘାସରେ କାକର ମୋତି,
କେତେବେଳେ ପୁଣି ବିରହ ଜୀବନେ
ମୋ ପ୍ରେମ ପଥରେ ସାଥି ।
କେତେବେଳେ ତୁମେ ମଳୟ ପବନେ
ବସନ୍ତକୁ ନେଇ ଆସ,
କେତେବେଳେ ପୁଣି ପ୍ରେମର ସ୍ପର୍ଶରେ
ମହମହ ତୁମେ ବାସ ।
କେତେବେଳେ ତୁମେ ଟିକିଏ କଥାରେ
ଅଭିମାନେ ଯାଅ ରୁଷି,
କେତେବେଳେ ପୁଣି ପଦିଏ କଥାରେ
ଖିଲିଖିଲି ଦିଅ ହସି ।