ମୀରା
ମୀରା
କିଶୋରୀ ମନର ଚଞ୍ଚଳତା
କଟିବା ଆଗରୁ
ସଂସାରକୁ ଆଖି ଭରି
ଚିହ୍ନିବା ଆଗରୁ ତୁମେ
ସଂକଳ୍ପର କଳ୍ପମୂଳେ
ମୋ ହାତରେ ବ୍ରତବାନ୍ଧି
ସମର୍ପଣର ଖିଅ ଧରାଇଲ
ତୁମ ପ୍ରଭୁତ୍ବର ଧ୍ବଜାତଳେ
ନିଃସ୍ବ ହୋଇ ଠିଆ ହେବା ପାଇଁ
ପ୍ରିୟତମ! ମୋତେ ହିଁ ବାଛିଲ?
ନିନ୍ଦିବି କାହାକୁ! ମୋ ଭାଗ୍ୟକୁ
ଭକ୍ତି କୁ ନା ଭବିତବ୍ୟକୁ?
ତୁମ ଐଶ୍ୱରୀ ଶକ୍ତିର
ଅଲୌକିକତା ପରିପୁଷ୍ଠ କରିବାକୁ
ତୁମ ସାମର୍ଥ୍ୟର ସୀମା ସରହଦ
ଆଉଥରେ ପରଖି ନେବାକୁ
ଏତେ ଅଭିସନ୍ଧି!
ନିରିମାଖି ପ୍ରୀତିସ୍ନାତା ନୀଳକଈଁ
ମୁଁ ନ ଜାଣେ
କି ଛଳଥାଏ ତୁମ
ମନ୍ଦହାସର ମନ୍ଦ୍ରରେ
କେକୀର ଭଂଗୀମା ଭଳି
ଚନ୍ଦ୍ରମାର ଚତୁର୍ଥୀରେ l
ନିର୍ମଳା ମୁଁ ବିଭୋର ସରସୀ
ସଂଗୀତରେ ତାଳଲୟ
ଅର୍ପଣରେ ପୁଷ୍ପର ସୁଗନ୍ଧି ,
ସେ ପାଇଁ ତ ତୋଳିଦେଲି
ଆଞୁଳାରେ ଭରି
ନିଷ୍କାମ ଉପାସନା ନିଷ୍ଠା
ନିର୍ଲିପ୍ତ ଭକ୍ତି ନୈବେଦ୍ୟ
ଶ୍ରୀ ପାଦେ ତୁମର।
ତୁମେ ପ୍ରତ୍ୟୟର ହାତ ବଢ଼ାଇଲ
ଛାତି ଚିରି ହୃଦୟକୁ ଉନ୍ମୁକ୍ତ କରିଲ l
ମୋହ ମାୟାର ଅନେକ
ଘଟଣା ଓ ଅଘଟଣା ଭିତରେ
ମୁଁ ଓ ମୋର ଦେହମନ
ମୋ ଅର୍ଜିତ କର୍ମଫଳ
କି ବା ଛାର!
ମୋ ସର୍ବସ୍ବ
ସମର୍ପିଲି ତୁମ ଠାରେ ,
ଅଚିରେ।
ତୁମେ ମେଘର ବାହୁ ପ୍ରସାରି
ତୋଳିନେଲ ଆକାଶ ବୁକୁରେ
ବାଳିକାର ବିମୁଗ୍ଧତା
ଷୋଡ଼ଶୀର ସ୍ବପ୍ନସୁଖ
ଓ ସ୍ତ୍ରୀର ସତୀପଣ
ତୁମ ଛଳନାର ଛାୟା ଚନ୍ଦ୍ରିକା
ମୋ ଦୃଷ୍ଟିର ଦ୍ରାଘିମାରୁ
ଅନ୍ତର୍ହିତ ହେବାର ଅନେକ ଆଗରୁ ...
ମୁଁ ହେଲି ଅଭିମନ୍ତ୍ରିତ
ତୁମ ମୋହିନୀ ମନ୍ତ୍ରରେ।
ସମର୍ପିଲି ପ୍ରାଣ ପରମାୟୁ
ବାକିଥିଲା ନଶ୍ବର ଶରୀର
ସମର୍ପିଲି ଚେତନ ଚୈତନ୍ୟ
ବାକିଥିଲା ଲୌକିକ ବେଭାର।
ହେ ପରମ!
ଦାରୁଣ ଏ ସ୍ତ୍ରୀ ଜନ୍ମ
କାହିଁକି କରିଦେଲ ଶକ୍ତ
ମୋ ଦେହକୁ କାଠ କି ପଥର
ବିଷ ବି କାଟିଲା ନାହିଁ,
ନିନ୍ଦା ଅପବାଦ ର ଅଜସ୍ର ଟେକାପଥର
ଅବଳାର ଅନଳରେ
ସବୁଶକ୍ତି ରାଜଶକ୍ତି ତାମସିକ
ସବୁ ମନ୍ତ୍ରଣା ହେଲା ଚୁରମାର।
କୁହ କି ତୁମ ନିର୍ଣ୍ଣୟ
ମୁଁ କି ସୃଷ୍ଟି ଛଡ଼ା? ନୁହେଁ ନାରୀ ?
ମୋ ଶରୀର ଭିନ୍ନେଧାତୁ ଗଢ଼ା ?!
ନାରୀଧର୍ମ ସହଜାତ
ପ୍ରୀତି ଝରା ମଧୁମାସ
ଜିଜୀବିଷା ପ୍ରେମ ଓ ପ୍ରତ୍ୟାଶା
ବିଦଗ୍ଧ ବାହୁପାଶ କି
ମୋ ପାଇଁ ଅଲୋଡା?
ଦେଇ ନାହିଁ ଦୁଧଦହି
ସର କି ଲବଣୀ
ନିତ୍ୟଧାମ ନିକାଂଚନେ
ଦେଇ ନାହିଁ ମନମାନ
ନିଟୋଳ ଛାତିର ତାତି
ନାକର ବସେଣି !
ବୁକୁତଳ ମୃଗମଦ
ମଧୁଗନ୍ଧ ଅଗରୁ ଚନ୍ଦନ
ଶାଶ୍ବତ ପ୍ରେମସୁଧା
ସାଗର ମନ୍ଥନ ...
ଜାଳିଛି ଲବଣୀ ଦେହ
ଢାଳିଛି ଅଶ୍ରୁ ନୈବେଦ୍ୟ
ପିଇଛି କୁତ୍ସା ଶରବ୍ୟ
ବଞ୍ଚିଛି ବିଗତ ପ୍ରାୟ !
ମୋ ଶୟନେ ସ୍ବପନେ
ଅବା ଜାଗରଣେ
ନିତ୍ୟନାମ
ସଂକୀର୍ତ୍ତନ ,
ବାଜୁଛି ନେତ୍ର ମଞ୍ଜିରା
ମନମଧ୍ୟେ ଏକତାରା
ରାଜଦାଣ୍ଡେ ମାଧବ ! ମାଧବ!!
ଦର୍ଶନର ଭିକ୍ଷା ମାଗେ
ସନ୍ୟାସିନୀ ମୀରା !!!
©® Bidyutprabha