ଆଶୀର୍ବାଦ
ଆଶୀର୍ବାଦ
କବି ମାୟାଧର ମାନସିଂହ
ନିକଟେ ଦୂରେ ଯେ ଥାଅ ଭାଇ,
କଷ୍ଟ ଯଦି ଥାଅ ହେ ପାଇ,
ମୋଠାରୁ କେବେ,ଜ୍ଞାତେ ବା ଅଜ୍ଞାତେ,
ଚରଣେ ତବ ନମସ୍କାର,
କ୍ଷମା ମୁଁ ମାଗେ ବାରମ୍ବାର
ପୋଛିବି ଦିଅ, ରୁକ୍ଷ ସେ ଆଘାତ ।।
ପରିଚିତ ବା ଅପରିଚିତ
କରନ୍ତୁ ଯଥାରୁଚି ଅହିତ,
ଆଶୀର୍ବାଦ,ଦେବି ମୁଁ ପ୍ରତିଦାନେ,
ଆନନ୍ଦର ବାର୍ତ୍ତାବହ
ହେବି ମୁଁ ବାକି ଜୀବନମୟ
ବିତରି ପ୍ରେମ,କର୍ମେ ଆଉ ଗାନେ ।
ପ୍ରଣୟ ଯା'ରେ ଦେଇଛି ଥରେ
ମରମ-ଫଟା ଅଶ୍ରୁ-ଜଳେ,
ସେ ଯଦି ଦିଏ ନିଠୁର ବ୍ୟବହାର,
ପ୍ରତିଟି ତା' ର ଆଘାତ ପାଇଁ
ପରମ-ଶୁଭ ମରମେ ଧ୍ୟାୟି
ଅଧିକେ ଦେବି, ସେନେହ ଉପହାର ।
ସେନେହ ଯାହା ଦେଇଛି ବାରେ
କରିବି ନାହିଁ ଆଉ ଗୋ ତା' ରେ
କଳଙ୍କିତ, ଦାବିର ଧୂଳି ଲେସି,
ଆନନ୍ଦ ଯା କେବଳ ଦାନେ
ତାହାହିଁ ରାଜୁ ସାରାଟି ପ୍ରାଣେ,
ତ୍ୟାଗର ଧାରା, ସର୍ବ ଦିଗେ ପେଶି ।
କୋଟିକି କୋଟି ହୃଦୟ ଚାହେଁ
ଧୋଇବି ବିଶ୍ୱ ଜୀବନ ପାୟେ,
ପ୍ରଣୟ-ପୁଣ୍ୟ ଉଷ୍ଣ ଅଶ୍ରୁଜଳେ
ଅୟୁତ ବାହୁ ଚାହେଁ ମୋ ଦେହେ
ଆଶ୍ଲେଷିବି ନିବିଡ଼ ସ୍ନେହେ,
ବିଦାୟ ଯେବେ,ନେବି ଏ ଧରା ପରେ ।
ସମାପ୍ତ