ଭକତି ଖୋଜି ପାଉନି
ଭକତି ଖୋଜି ପାଉନି
1 min
2.6K
ଏମିତି ମନ୍ଦିରେ ରଖିଅଛ ମୋତେ,
ଭକତ ଅଛନ୍ତି
ଭକତି ଖୋଜି ପାଉନି ।
ଚାରିଆଡେ ଖାଲି ବତାସିଆ ଭିଡ଼
ଶ୍ରଦ୍ଧାଳୁ ଅଛନ୍ତି
ଶ୍ରଦ୍ଧାର ଦର୍ଶନ ନାହିଁ ।
ମନ୍ଦିର ଆଗରେ କ୍ରୁର କୋଳାହଳ
ସଙ୍ଗୀତ ଶୁଭୁଛି
ସ୍ତୁତି ସ୍ତୋତ୍ର ଲୁପ୍ତ ପ୍ରାୟ ।
ମୁଖେ ମୁଖେ ମୋ'ରି ଜୟ ଜୟକାର,
ହୃଦୟ ଭିତରେ
ଅତର୍କିତ ପରାଜୟ ।
ମୋ'ପାଇଁ ରହିଛି ରତ୍ନ ସିଂହାସନ
ତା'ପାଇଁ ମିଳୁନି
ବକଟେ ଛିଣ୍ଡା ଆସନ !
ସୁଦୀର୍ଘ ଧ୍ୱଜାରେ ମନ୍ଦିର ଶୋଭିତ
ପୁଙ୍ଗୁଳା ଦେହରେ
ବୁଲୁଛି ପ୍ରିୟ ସନ୍ତାନ ।
ମୋ'ଲାଗି ଏମିତି ପ୍ରସାଦ ଅର୍ପିଲ,
ଘିଅ ମହୁ ମିଶା
ମିଠା ମହକର ବାସ୍ନା ।
ଅଗଣାରେ ଥିବା ଭୋଖିଲା ପ୍ରାଣକୁ,
ଦେଇ ପାରୁନି ମୁଁ
ଦୁଇଟି ଶୁଖିଲା ଦାନା ।
ଷାଠିଏ ପଉଟି ଭୋଗ ନିତି ପ୍ରତି
ଖୁସିରେ ଖୁସିରେ
ମୋ'ପାଇଁ ବାଢି ଦେଉଛ ।
ହା ଅନ୍ନ ଚିତ୍କାରେ 'ହେ ନାଥ'ଉଚ୍ଚାରେ
ହାତଭାଗ୍ୟ ସିଏ
ତା'ପାଇଁ କେବେ ଭାବିଛ ?
ହାତଭାଗ୍ୟ ସିଏ ବାସ୍ତବରେ ନୁହେଁ,
ନିଜେ ମୁଁ ନିର୍ବାକ
ଭାଗ୍ୟହରା ଭଗବାନ ।
ରତ୍ନ ସୁଶୋଭିତ ପଲଙ୍କେ ଶୋଇଛି
ନ୍ୟୁନ,ନିରୁପାୟ
କ୍ଷୁଧାକ୍ରାନ୍ତ ମୋ ସନ୍ତାନ ।
କହି ତ ନ ଥିଲି ଭଗବାନ ବୋଲି,
ଦରିଦ୍ରଙ୍କ ପାଇଁ
ନୁହେଁ ମୁହିଁ ନାରାୟଣ ।
ବନ୍ଧୁ ମୁଁ ତାଙ୍କରି,ପିତା ମୁଁ ତାଙ୍କରି
ତଥାପି ନିସ୍ତବ୍ଧ
କିଂ କର୍ତ୍ତବ୍ୟ,ମ୍ରିୟମାଣ ।
ପରମ୍ପରା ଦ୍ୱାହି ମୋ'ନାଆଁରେ ଦେଇ
ମହଣ ମହଣ
ସୁନା ରୁପାର ଛାଉଣୀ ।
ଖଞ୍ଜି ଦେଇଅଛ ମୋ'ସାରା ଦେହରେ
ଚାହେଁନା ସେସବୁ,
ଭକତର ଦୁଃଖ ଜାଣି ।
ହୃଦୟରୁ ଯେବେ ଭକତି ରହିଛି
ଭକତ ଆରତ
ହୃଦେ ଅନୁଭବ କର ।
ଭକତର ପାଇଁ ବାଢିଦିଅ ସବୁ
ଭକତ ପ୍ରେମିକ
କ୍ଷୁଧା ନିବାରଣ କର ।