ଲାଗନ୍ତା ବହୁତ ମଜା
ଲାଗନ୍ତା ବହୁତ ମଜା
ମୋ ଗାଆଁ ମୋତେ ଭାରି ଭଲ ଲାଗେ
ସତେ ମୋ ମାଆଟି ପରି ,
ଅତି ଆପଣାର-ଅତୀବ ସୁନ୍ଦର
କିଏ ହେବ ତା'ର ସରି !
ଚନ୍ଦନଠୁଁ ବଳି ଧୂଳି-ମାଟି ତା'ର
ବୋଳୁଥିଲି ପିଲାବେଳେ ,
ଭାରି ଇଚ୍ଛାହୁଏ,ଏଇ-ଲାଗେ ଥରେ
ଗଡ଼ି ଯାଆନ୍ତି ତା' କୋଳେ ।
କୁନି ପିଲାଟିଏ ହୋଇଯାଆନ୍ତି କି
ସମୟ ଯାଆନ୍ତା ଥମି ,
ଆଉ ଥରେ ମୁହିଁ ଆରମ୍ଭ କରନ୍ତି
ସେଇ ମିଠା ଚଗଲାମି ।
ତା' କୋଳରେ ଖେଳି-ବଣ,ବୁଦା ବୁଲି
ଖାଆନ୍ତି କଣ୍ଟେଇ କୋଳି ,
ବର ଓହଳରେ ସାଙ୍ଗ-ସାଥୀ ମେଳେ
ଖେଳନ୍ତି ବି ଟିକେ ଦୋଳି ।
ଆମ୍ବ ତୋଟାମାଳେ ଘୁରି ବୁଲନ୍ତି ମୁଁ
କୋଇଲି ସ୍ୱରକୁ ବାରି ,
ତା' ରାବକୁ ପୁଣି ନକଲ କରନ୍ତି
ସାଙ୍ଗମେଳେ ମିଶି କରି ।
ଗାଆଁ ଯାତ ଦେଖି ମଉଜ କରନ୍ତି
କିଣନ୍ତି ଖେଳଣା କେତେ ,
ନାନାଜାତି ପିଠା କରିକି ଖୁଆନ୍ତା
ଗେଲକରି ମାଆ ମୋତେ ।
ସତରେ ନା ଯଦି ଏମିତି ହୁଅନ୍ତା
ଲାଗନ୍ତା ବହୁତ ମଜା ,
ବରଷାରେ ଭିଜି ଗୀତ ଗାଆନ୍ତି ମୁଁ
କେସୁର ମାଇଲା ଗଜା ।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।