ସେଇ ଲୋକଟି
ସେଇ ଲୋକଟି
ସେ ଯେଉଁ ଲୋକଟି
ଯାହାକୁ ଆମେ ବାପା କହୁଥିଲୁ
ସତରେ କିଛି ଦେଇ ନ ଥିଲା
-ଚାବିଦିଆ ଖେଳନାଟିଏ
ନା ଦାମୀ ଜୋତାଟିଏ
ପୁରୀ ସମୁଦ୍ରକୁ ଛାଡିଦେଲେ
ଆଉ କେଉଁ ଦୂର ଜାଗାକୁ
ନେଇ ନ ଥିଲା ବୁଲେଇବାକୁ
ନିଜେ ମରି ଗଲା ବି
ଆମେ ଯେବେ
ଠିକ କରି ବଡ଼ ହୋଇ ନ ଥିଲୁ
ଠିକ ମନେ ଅଛି
କିପରି ଲୋକଟି ମେଘ ହେଲାବେଳେ
ପାଗଳ ପରି ଦୌଡୁଥିଲା
କୋଦାଳ ଟିଏ ଧରି
ପହିଲି ମେଘର କ୍ଷେତ ଭିତରକୁ
ବାନ୍ଧି ଧରିବାକୁ ବର୍ଷାକୁ
ବର୍ଷକର ଭାତ
ଆଉ ପୁନିଅଁ ପରବ ଲାଗି
ଭଉଣୀର ବାହାଘର ପାଇଁ ବି
ତାଠୁଁ କଣ ଅଧିକ ଯୋଜନା
କରିଥିଲା ସେ?
ପଉଷ ଶୀତରେ
ପଶମ ପୋଷାକ ଦୂର
ସୂତା ଚାଦରଟିଏ ଯାହା ଆଣୁଥିଲା
ବୋଉ କେତେ କହିଲାପରେ
ପିଣ୍ଡାରେ ସେ ବସୁଥିଲା
ପୁରୁଣା କମ୍ବଳ ଢାଙ୍କି
ଖରା ପାକଳ ହେଲା ଯାଏଁ
ବିନା ହଲଚଲ ହୋଇ
ମୁଁ କୋଳରେ ପଶି ରହୁଥିଲି
କଙ୍ଗାରୁ ଛୁଆଟେ ପରି
ଆଜି ମୁଁ ଯେମିତି
କାରରେ ବସାଇ ନେଉଛି
ମୋ ଛୁଆଙ୍କୁ
ଦେଖାଇବାକୁ ମେଳା ମହୋତ୍ସବ
ସେମିତି ସେ ଲୋକଟି କେବେ ବି
କରି ପାରି ନ ଥାନ୍ତା
ପାଦରେ ଚାଲିଲେ
କେଉଁ ପେଟ୍ରୋଲ ଜଳେ ଯେ
ଗାଁ ମେଲଣରେ ତା
କାନ୍ଧ ଉପରେ ବସି
ଦେଖାଇଥିଲା ଯାହା
ଦଶମୁଣ୍ଡିଆ ରାବଣକୁ
ବୋଉ କଥା ଛାଡ
କହେ ସିନା ସେ
ସିଏ ଥିଲା ତାର ରକ୍ଷା କବଚ
ଦୃଢ଼ ହାତଟିଏ ଥିଲା
ଦେଖିନି ଲୋକଟିକୁ
ଆମମାନଙ୍କ ଆଗରେ ବୋଉକୁ
କେବେ ଚୁମ୍ବନଟିଏ ଦେବାର
ଏବେ ଜାଣୁଛି
ଏତେ ଦୃଢ଼ ନ ଥାଏ ମ
ପିତାର ସେହି ହାତ
ଯେମିତି ଛୁଆମାନେ
ଭାବି ବସନ୍ତି
ଅନୁମାନ ଲଗାଏ
ହିମାଳୟ ପରି ମହାନ
ହୋଇ ନ ଥିବ ଲୋକଟି
ନିଶ୍ଚୟ ମୋ ପରି ଥକି ଯାଉଥିବ ସେ
ଟିକିଏ ପରିଶ୍ରମ ପରେ
ଆଉ ମୋ ପରି ବି
ଅଧିକ ସମ୍ବେଦନଶୀଳ ହୋଇ
ଲୁହ ଝରାଉଥିବ
ଟିକକ କଥାରେ
ଶୁଣିଛି ମୃତ୍ୟୁ ଅବଶ୍ୟମ୍ଭାବି ଜାଣି ବି
ଛନ୍ଦ ପକାଇ
କବିତା ଲେଖୁଥିଲେ ସେ
ରୋଗ ବିଛଣାରେ
ମେଡ଼ିକାଲ ହସ୍ପିଟାଲର
ଦୁରାବସ୍ଥା ନେଇ
ସେତେବେଳେ
କେତେ ଭାବି ନ ଥିବେ ସେ
ଘରେ ଛାଡ଼ି ଆସିଥିବା
ପିଲାମାନଙ୍କ ବିଷୟରେ-
ଯାହାଙ୍କୁ ନିଶ୍ଚିତ ରୂପରେ
ଆଉ ସେ ଦେଖିପାରିବେନି
ଉଦୁଉଦିଆ ଖରାବେଳେ
ଘରକୁ ଫେରିଲା ପରେ
ପିତଳ ଲୋଟା ପାଣି
ଧୋଇ ଦେଇଥିବା
ସେଇ ଲୋକଟିର ପାଦଧୂଳିକୁ
ଆଜି ଅନୁଭବ କରେ
ପିଣ୍ଡା ତଳ
ଦୁବଘାସ ଭିତରେ
ଆଶ୍ଚର୍ଯ୍ୟ ହୁଏ
ଆଉ ଧନ୍ୟବାଦ ଦିଏ ବି
ଏତେ ଭଙ୍ଗାରୁଜା
ଆଉ ମରା ହଜା ଭିତରେ
କେତେବେଳେ ସେ ଲୁଚେଇ
ଛାଡି ଯାଇଥିଲା ପଛରେ
କବିତ୍ୱର ଅଂଶଟିଏ