ପୁରୀ
ପୁରୀ
ଗୀତ ଗଇଁଠା ଖାଇବ ତ
ଆମ ଗାଁକୁ ଆସ l ଆମ ଗାଁରେ
ଗୀତରେ ଗୀତାରେ ଗଢାହୁଏ ଜାତି ଜାତି ପିଠା l
ଫଗୁଣର ଫୁଲ ହାଟରୁ ଆଣି
କୋଇଲିର ମିଠା କୁହୁ,
ମାଆ କଣ୍ଠର ସୁଆଦିଆ ଲୋରିରେ
ତିଆରି ହୁଏ ମହୁ ମିଠା ଗୀତ ଗଇଁଠା l
ଗୀତରେ ଗୀତରେ ପୁଣି ଗଢାହୁଏ କୁଆଁରୀ ଜହ୍ନ
ଆଉ କୁନିକୁନି ଚଢେଇଙ୍କ ବସା l
ପାଦର ପାଉଁଜିଠାରୁ ମୁଣ୍ଡର ମଥାମଣି ଯାଏ
ଆମ ଗାଁ ଲାଗେ ଯେମିତି ଗୋଟେ ଜୀବନ୍ତ କବିତା l
ଆମ ଗାଁ ; ଗୋଟେ ଗୀତ ଗାଁ
ତା’ ଛାତିରେ ଥରେ ଶୋପଡିଲେ
ବୁଝି ହୁଏ, ଗୋଟେ ଗୋଟେ ଗୀତ
କେମିତି ଅର୍କ୍ଷିତକୁ କରିଦିଏ ‘ଅତିବଡୀ’
ଅଚ୍ଛବ ଯବନକୁ ‘କାଳିଆ ଭକତ’ !
ସେଇ ଗେହ୍ଳାଗୀତର ବୋଲ ମାନି
ଖୋଲିଯାଏ ବନ୍ଦୀ ଶାଳ
ଲୁହାର ଜଞ୍ଜିର ହୁଏ-
ପ୍ରେମ ଭିଜା ପଦ୍ମାର ମାଳ !
ମୋ କଥା ପରତେ ହଉନି ନା’?
ତେବେ ଆସ,
ନିଜ ଆଖିରେ ଦେଖିବ
ଆମ ଗାଁରେ
କେମିତି କୁଳୁକୁଳୁ ବହିଯାଏ
ଅପାସୋରା ଗୀତ ନଦୀ
ଯୋଗୀର କେନ୍ଦରାଠୁ
ଆହୁରି ସୁନ୍ଦର ଗାଏ ରାତିର ଝିଂକାରି !
ଆଜିଯାଏ
ଆମ ଗାଁକୁ ଆସିଲେଣି ଯେତେକ ଅତିଥି
କାହା ଭିତରେ
ଏତେ ଟିକେ ନାହିଁ, ବର୍ଷାର ରାଗିଣୀ
ସେଥିପାଇଁ
ଆମ ଗାଁ ସବୁ ଦିନ ଟାକିରହେ
ନୂଆଁ ନୂଆଁ ଅତିଥିଙ୍କୁ
କାଳେ କୋଉ ଗୀତ ବାଉଳା
ବିଭୋର ପ୍ରେମିକଟେ ପହଞ୍ଚିବ ଆସି
ଓ ଗୋଟା ପଣେ ଦେଇଦବ ତାକୁ
ଛାତି ତଳେ
ଯତନେ ସାଇତିଥିବା ମନର ବଇଁଶୀ l
ସେନାପତି ପ୍ରଦ୍ୟୁମ୍ନ କେଶରୀ