ରାତ୍ରି ଓ ତୁମେ
ରାତ୍ରି ଓ ତୁମେ
ଝାଇଁ ଝାଇଁ ଶବଦର ଗହଳି ଭିତରେ
ଉଦାସ ଚକ୍ଷୁରେ ଖୋଜେ ରାତି
ଘାସ ବଣେ ବୁଲି ବୁଲି କାକରରେ ଭିଜେ
କ୍ଷୀଣ ତୁମ ଶବ୍ଦ ଶୁଣି ଧାଇଁ ଯାଏ
ଦିଗନ୍ତ ସେପଟେ
ଯେଉଁଠି ଆକାଶଟା ମାଟିରେ ମିଶିଛି
ପୁଣି ସେଠୁଁ ପଡିଛି ସରଗକୁ ରାସ୍ତା
ନଈ ଘାଟ ହୁଡାରେ କଳା ଛାଇ କେତୋଟି
ଟୁପ ଟାପ ଶବ୍ଦ କେବେ ଶୁଭୁଥାଏ
ଏକୁଟିଆ ମନକଥା
କହିବାକୁ ଭଲ ଲାଗେନା
ରାତି ସତେ ସମସ୍ତଙ୍କ ପାଇଁ ଆସିଛି
ଆଉ ତୁମ ସ୍ନେହମୟ ନିର୍ଣ୍ଣିମେଷ ଆଖି
କେବେ ବା କାତର ଭରା
ଠିକ ରାତ୍ରିପରି ସ୍ନେହୀ
ମତେ ଶିଶୁ ଟିଏ କରିଦିଏ ।
ତୁମ ମମତାର ପୂଣ୍ୟମୟ ଛବି ସବୁ
କେଡେ ଛୋଟ ଅଥଚ ମହାନ
ନିଖୁଣ ଓ ଜୀବନ୍ତ - ଟିକି ଟିକି ଶେଫାଳି ପରି
ତମ ପାଦ ଅଳତାରୁ କେତେ ରାସ୍ତା ଦିଶେ ।
ଉଷ୍ଣତା କୁ ବାରି ବାରି
ଆଗକୁ ଚାଲିଲେ
ତମେ ବେଢ଼ି ଯାଅ ରାତ୍ରି ପରି
ତମେ ସଂକୀର୍ଣ୍ଣ, ଉଦାର
ଝଲମଲ ଜହ୍ନ ଆଲୁଅରେ
ଧାଡି ଧାଡି କଣ ଦିଶୁଛି ସେ ?
କେତେ ଜାତି ଗଛ ହୋଇଥିବେ
ବୋଧେ ଜହ୍ନଟା
ରାତ୍ରୀକୁ ଆହୁରି ସୁନ୍ଦର ଓ ଗମ୍ଭୀର କରିଛି
ପବନକୁ ଆଖି ଠାରି ଝରୁଛି ଶେଫାଳି
ଗୋଟେ ପରେ ଗୋଟେ
କିମ୍ବା ଏକାବେଳକେ ଅନେକ
ସମସ୍ତେ ଶୋଇ ସାରିଲା ପରେ
ଜହ୍ନଟା ଏବେ କଣ ଅଧିକ ଉଜ୍ଜ୍ବଳ ଦିଶୁଛି
ଲାଗେ ଏ ରାସ୍ତା ସରିବନି
ଏ ରାସ୍ତାରେ ଯିଏ ଯିଏ ଚାଲେ
ସେ କେବେ ଫେରେନି ପଛକୁ
ଇଛା ବି ନ ଥାଏ
ମାର୍ବଲର ଛୋଟ ଛୋଟ ଘର କେତେ
କୁହୁଡି ଘେରରେ
ଯେମିତି ସ୍ବପ୍ନମାନେ
ଏଠି ଡେରା ପାରିଛନ୍ତି
ତମ ସ୍ୱପ୍ନ ଆଉ ମୋ ସ୍ବପ୍ନ ମଧ୍ୟ
ଏଠି ହାତ ଧରାଧରି ହୋଇ ବୁଲୁଛନ୍ତି
କୁହୁଡି ଆଡେଇ ଥମ ଥମ ତାଳରେ
କେତେ ଭଙ୍ଗୀରେ ନାଚୁଛନ୍ତି
ପ୍ରିୟ କଳ୍ପନାକୁ ନେଇ
ଯୋଗ ଓ ବିୟୋଗର ହିସାବ ଯୋଡିଲେ
ଅବା ଦୌଡ଼ିଲେ
ଜହ୍ନ ଆଲୁଅରେ ସଫା ଦିଶୁଥିବା
ବାଦାମୀ ରଙ୍ଗର ପାଦାଚଲା ରାସ୍ତାରେ
କୂଳ, ଉପକୂଳ, ବିଲବଣ ଠାରୁ ବନ ଉପବନ ପର୍ଯ୍ୟନ୍ତ
ଅବା ଛାୟାପଥ ଠାରୁ ଛାୟାପଥ ପର୍ଯ୍ୟନ୍ତ
ଖାଲି ତମେ ମନେ ପଡ଼
ତମକୁ ଭାବିଲା ବେଳେ
ମୁଁ ପର୍ବତଟା ପରି ନିଜକୁ ନୀରବ
ଆଉ ଚିନ୍ତାମଗ୍ନ ହୋଇଥିବାର ଅନୁଭବ କରେ
ତମେ କେବେ ହସି ଦେଇଥିଲ ଥରେ
ଗଛ ଡ଼ାଳଠୁଁ ଆରମ୍ଭ କରି
ଝୁଲି ରହିଥିବା କୁହୁଡି ଖଣ୍ଡ ପର୍ଯ୍ୟନ୍ତ
ଏପରିକି ଜହ୍ନ ଆଲୁଅରେ ଚିକ ମିକ କରୁଥିବା
ଚିକ୍କଣ ପଥର ଯାହା ରାସ୍ତାକଡେ
କେବେଠୁଁ ପଡି ରହିଥାଏ
ସବୁଥିରେ ସେ ହସରୁ ଚେନାଏ ଚେନାଏ
ଚୁପ ଚାପ ଲାଗି ରହିଛନ୍ତି
ମାତ୍ର ତୁମ କଥା ମନେ ପଡିବା ପରେ
ସେହି ପୁରୁଣା ହସ ପ୍ରତିଧ୍ବନିତ କରିଦିଅନ୍ତି
ଏ ନିରୋଳା ଜହ୍ନ ରାତିକୁ
ମୁଁ ନିସ୍ପନ୍ଦ ହୋଇଯାଏ
ଜଣା ପଡେ
ସବୁ ରୂପ, ଗନ୍ଧ, ସ୍ନେହ ଓ ପ୍ରେମ
ରଙ୍କୁଣୀଟି ପରି ଏବେ ମଧ୍ୟ ସାଇତି ରଖିଛ
ତମେ ରାତ୍ରି ପରି ଉଦାର
ଆଉ ସଂକୀର୍ଣ୍ଣ ବି
ଆଉ ସେଇ ସଂକୀର୍ଣ୍ଣତା ପାଇଁ
ତୁମେ ନିଜର
ତୁମେ ରାତ୍ରି ପରି ନୁହଁ