ସ୍ବାବର୍ତ୍ତନ
ସ୍ବାବର୍ତ୍ତନ
ସେ ଆସେ ନାହିଁ -
ଯାଏନା ବି, ରହିଥାଏ
ନିଶ୍ଚୁପ ନିଶ୍ଚଳ,
ମୁଁ ତା'କୁ ଅତିକ୍ରମ କରୁଥାଏ
ମୋ ଆୟୁଷର ପରିଧି
ମୁହୂର୍ତ୍ତ , ମିନିଟ୍,
ଘଣ୍ଟାର କଣ୍ଟାରେ
ମାସ ବର୍ଷ ଯୁଗ ଶତାବ୍ଦୀରେ
ସେ ଯେମିତି - ସେମିତି
ସ୍ଥିର ଅବିଚଳ ।
ବିତିଲାଣି ନିୟୁତ ନିୟୁତ ବର୍ଷ
ବଦଳିଲାଣି କେତେ କେତେ ଥର
ବିଶ୍ଵ ବ୍ରହ୍ମାଣ୍ଡ ସ୍ଵରୂପ
ସେ ଦେଖୁଛି ;
କେତେ କେତେ ନୂତନ ସର୍ଜନା
ବିନାଶର ଚିତ୍ରିତ ବିନ୍ୟାସ,
ଅନ୍ତରରୁ ଅନ୍ତରୀକ୍ଷ ଯାଏ
କେତେ କେତେ ଥର
ଉଭାନ୍ ହେଲାଣି- ପଞ୍ଚ ମହାଭୂତ,
ତଥାପି ଜୀବନ୍ତ ଅଛି
ତା ' ଭିତରେ ଖୁନ୍ଦା ଖୁନ୍ଦି
ଲେଖା ଇତିହାସ ।
ସେ ନୁହେଁ ଅତୀତ
କିମ୍ବା ଅମାଚ୍ଛନ୍ନ ସୁପ୍ତ ଭବିଷ୍ୟତ,
ସେ ଏକ ଧାରା- ଅପ୍ରବାହ
ଚିରକାଳ ନିତ୍ୟ " ବର୍ତ୍ତମାନ "
ଅବିନାଶୀ ସତ୍ୟ ।।
ଅତୀତ ଓ ଭବିଷ୍ୟତ
ଏକାକାର ହୁଏ,
ଇତିହାସ ଓ ଐତିହ୍ୟ
ସଭ୍ୟତା ଓ ସମୃଦ୍ଧି
ସବୁକିଛି ହୁଏ ଅବଲୁପ୍ତ ।
ଚିହ୍ନ ବର୍ଣ୍ଣ ହୁଅଇ ବିବର୍ଣ୍ଣ
ଯେମିତି ହୁଏ ନିଶ୍ଚିହ୍ନ
ବାଲୁକାରେ ଥାପି ଥିବା
ଶୂନ୍ୟ ପାଦ ଚିହ୍ନ ।
ଶ୍ରଦ୍ଧାର ସହ
ଭକ୍ତ ଚରଣ ମଲ୍ଲ
9th November 2017