ଜଞ୍ଜାଳ
ଜଞ୍ଜାଳ
ସଂସାରୀ ମଣିଷ ଖୋଜେ ସୁଖ ଭୋଗ
ବିଷମ ଜଗତେ ରହି
ମନବାଞ୍ଛା ତା'ର ତା'କୁ ଅଗୋଚର
ବାକ୍ୟ ତା'ର ସ୍ଫୁରେ ନାହିଁ !
ହୃଦୟରେ କୋହ ଆଖିରେ ତା'ଲୁହ
ଭଙ୍ଗା ନୀଡ଼େ ଦେଖେ ସ୍ୱପ୍ନ
ଆଶା ଭରସା ରେ ରହେ ସେ ସଂସାରେ
ଧନ ଦଉଲତ ହୀନ !
ନୀଡ଼ର ସାବକ ସପନ ବଣିକ
ଦିବା ସ୍ଵପ୍ନ ଲାଗେ ମିଠା
ସଂସାର ର ଭାର କରେ ସେ ବହନ
ନିତି ତେଲ ଲୁଣ ଚିଠା !
ଅର୍ଦ୍ଧାଙ୍ଗିନୀ ସାଥୀ ମିଛେ ଦିଏ ହସି
ଅସରନ୍ତି ଦୁଃଖ ତା'ର
ସବୁ ଅଭିଳାଷ ହୁଏ ଧୂଳିସାତ୍
ନୀର କୁ ସେ ମଣେ କ୍ଷୀର !
ଧନ ନାହିଁ ଯା'ର ମନ ନାହିଁ ତା'ର
ଏ କଥା ଦିଅଇ ବ୍ୟଥା
ଗରିବ ପଣିଆ ହୀନମାନିଆଁ ଲୋ
କେହି କହେ ନାହିଁ କଥା !
ଏ ସଂସାର ଜଞ୍ଜାଳ ବଡ ଗୋଳମାଳ
ଗୃହ କର୍ତ୍ତା କହେ ଗାଥା
କାହିଁରେ ବିଧାତା କଲୁରେ ହୀନସ୍ତା
ଘୁରି ଯାଏ ମୋର ମଥା !
ଜ୍ଞାତି ପରିଜନ କେହି ନୁହେଁ କା'ର
ସର୍ବେ ସତେ ସ୍ୱାର୍ଥପର
ବିପଦ ପଡିଲେ ଦେଖା ତ ନ ମିଳେ
ସାଜନ୍ତି ସେ ସାତ ପର !
ଆହା ବୋଲି ପଦେ କେହି ତ ନକୁହେ
ଧନ ଆଶା ପ୍ରହେଳିକା !
ତଥାପି ଜଞ୍ଜାଳୀ କରେ ନାହିଁ କଳି
ଭାଗ୍ୟ ଦୋଷ ମଣେ ଏକା !
ଆଖିର ସପନ ଦୁଃଖର କାରଣ
ପ୍ରେମ ମନ ଯାଏ ମରି
ସୁନାର ଘରଣୀ କାନ୍ଦେ ଯେ ବାହୁନି
ସୁଖ ଦିନ ଯାଏ ସରି !
ଆହା କି ବିଚିତ୍ର ଏ ଜଞ୍ଜାଳ ର ଚିତ୍ର
ଆଂକୁଚି ମୋ କଵି ଚିତ୍ତ
ଅଭାବ କଷଣ ଆଣଇ ଦୁର୍ଦ୍ଦିନ
ଆଖି ଲୁହ ପିଏ ଓଠ !
ସଦାନନ୍ଦ ସାହୁ ; କାରା କର୍ମଚାରୀ
କେନ୍ଦ୍ରୀୟ କାରାଗାର ; କଟକ