ଜନ୍ମଦିନର ଉପହାର
ଜନ୍ମଦିନର ଉପହାର
ପୂର୍ଣ୍ଣମୀ ରାତିର ତୋଫା ଜହ୍ନ ଦେଖି
ମନ ହୁଅଇ ଡହଳ ବିକଳ
ଭାବିଲେ ପତ୍ନୀକୁ ଡାକିବେ ପାଖକୁ
ବସିବ ଘଡିଏ କାଳ ।
ଦୁଇ ଦିନ ହେବ ରାଗିଛି ସୁନ୍ଦରୀ
କହି ନାହିଁ ପଦେ କଥା
ଅଭିମାନିନୀର ଶୁଖିଲା ମୁହଁଟା
ବଢୋଉଛି ଛାତି ବ୍ୟଥା ।
ଅଳି କରିଥିଲା ସୁନାହାର ପାଇଁ
ନିଜ ଜନମ ଦିନକୁ
ହାରଟେ ଦେବାକୁ ହେବ ବୋଲି ପତି
ଭୁଲିଗଲେ ଦିନଟିକୁ ।
ଶେଯରୁ ଉଠିକି ଦେଇ ବି ନାହାନ୍ତି
ଜନ୍ମଦିନର ଚୁମ୍ୱନ
ସେଥିପାଇଁ ଗୋରୀ ମାନ କରିଅଛି
ହସିନାହିଁ ପୂରା ଦିନ ।
କାମ ବାହାନାରେ ଯାଇଥିଲେ ଚାଲି
ସକାଳ ପହରୁ ଦୂରକୁ
ଫେରିଲା ବାଟକୁ ଚାହିଁ ବସି ପତ୍ନୀ
ବୁଝୋଉଥିଲା ତା’ ମନକୁ ।
ଭାବିଥିଲା ସ୍ୱାମୀ ଆଶ୍ଚର୍ଯ୍ୟ କରେଇ
ଆଣିବେ ସୁନାର ହାର
ତାକୁ ପିନ୍ଧି ସିଏ ସାଇ ମାଇପେଙ୍କୁ
ଦେଖେଇ ଦେବ ସତ୍ତ୍ୱର ।
ଚାହିଁ ଚାହିଁ ପାଣି ମଲା ତ ଆଖିରୁ
ଆସିଲେନି ବାବୁ ସଅଳ
ରାତି ଅଧେ ଫେରି, ବେଗେ ଶୋଇପଡି
କହିଲେ, “ଥକିଛି ପ୍ରବଳ ।”
କଡମଡ ଦାନ୍ତ କରି ଶେଯ ଛାଡି
ପଳେଇଲା ଆର ଘରକୁ
ରାଗିଲେ ରୁଷିଲେ ଏଇଠି ଶୋଇ ସେ
ଶୁଝାଏ ନିଜର ରାଗକୁ ।
କୋମିତି ଲୋକ ତା’ ଭାଗ୍ୟରେ ପଡିଛି
ଏଡିକି ନିର୍ଦ୍ଦୟୀ ନିଷ୍ଠୁର
ପତ୍ନୀକୁ ଜନମ ଦିନେ କେ ନଦିଏ
ଶୁଣିଛ କି ଉପହାର !
ଜାଚିକରି କେବେ ଦିଅନ୍ତିନି ବୋଲି
ମାଗିଥିଲା ମୁହଁ ଖୋଲି
ତଥାପି ପାଷାଣ ହୃଦେ ପ୍ରେମ ଭାବ
ପଡିଲା ନାହିଁ ଉଚ୍ଛୁଳି ।
କିରାଣୀକୁ ବାହା ହେଇଥିଲେ ବି ସେ
ରଖିଥାନ୍ତା କେତେ ଯତନେ
ତା’ପରି ରୂପର ଗୁଣର ପାଇ ବି
ମନ ବୁଝିଲେନି ଦିନେ ।
କି ଲାଭ ପାଇଲା ଅଫିସର ପତି
ବାହା ହୋଇ ବମ୍ୱେ ଆସିକି
କିବା ଜିନିଷଟା ମାଗିଥିଲା ଯେ ସେ
ଆଣି ନପାରିଲେ କିଣିକି !
ସେ କଥାକୁ ଗଣ୍ଠିକରି ମନେ ରଖି
ରୁଷିଛି ଚନ୍ଦର ବଦନୀ
ରାତି ଆସି ଦୁଇ ଘଡି ହୋଇଲାଣି
ତଥାପି ଗୁମାନ ଯାଇନି ।
ଆଜି ଏ ପୂର୍ଣ୍ଣମୀ ରାତିରେ ମନଟା
କେମିତି କେମିତି ହେଉଛି
ସେକଥାକୁ କ’ଣ ବୁଝୁଛି ସୁନ୍ଦରୀ
ହୃଦ ଯା’ କେବଳ ଦହୁଛି ।
ଛାର ଗୋଟେ ସୁନାହାର ପାଇଁ କେତେ
ରାଗ ଅଭିମାନ କଲାଣି
ବ୍ୟାଙ୍କ୍ ଖାତା ପଛେ ଖାଲି ହେଇଯାଉ
ଆଉ କରିବେନି ଭାଳେଣି ।
ହରଷ ବଦନେ ଯାଇ ଶରଧାରେ
ଡାକିଲେ, “ଗୋ ପ୍ରାଣପ୍ରିୟେ
କଥା ଦଉଛି ମୁଁ ସୂର୍ଯ୍ୟୋଦୟ ହେଲେ
ଆଣିଦେବି ଆଗ ଗୋଟିଏ ।
ରାଗନି ରୁଷନି ହସିଦେଇ ମୋର
ପ୍ରାଣକୁ ଶୀତଳ କର
ହାରିଯାଇ ମୁଁ ତ ଶରଣ ପଶିଲି
ଅଭିମାନ ଦୂର କର ।“
ଚାହିଁଲେ ତୀର୍ଯ୍ୟକ ନୟନରେ ପତ୍ନୀ
ତଉଲିଲେ ସେ କଥାକୁ
ରାତିର କଥାଟା ମନେ ରଖିବେ ନା
ଭୁଲିଯିବେ ସକାଳକୁ !
ଏ ମିଠା କଥାରେ ଭଳି ଯାଇଥିଲା
ବିବାହ ପରେ ସେ ଦିନେ
ହେଲେ ସେ କଥାର ନପାଇ ଫାଇଦା
ଜଳିଅଛି ମନେ ମନେ ।
ଆଉ ସେଇ ଭୁଲ୍ କରିବନି ବୋଲି
କରିଛି ସିଏ ଶପଥ
ଆଜି ପୁଣି ସେଇ ଚାଲାକିରେ ସ୍ୱାମୀ
ଭାଙ୍ଗିଦେବେ ତା’ର ବ୍ରତ ।
କହିଲା, “କଥାରେ ପରତେ ଯିବିନି
ଦିଅ ହାତକାଟି ଲେଖି
ବ୍ଲାଙ୍କ୍ ଚେକ୍ ରେ ସାଇନି ଦେଖିଲେ
ଛାଡିଦେବି ରୂଷା ଏଠି ।
ଦୁଇ ଦିନ କାଳ ରଗେଇ ରଖିଲ
ତେଣୁ ଦେବ ଜୋରିମାନା
ସୁନାହାର ସିନା ଜନମ ଦିନର
ରାଗ ପାଇଁ ଦିଅ କନା ।
ଯେଉଁ ହାର ମୁଁ ସେ ଦୋକାନେ ଦେଖିଛି
ଦାମ୍ ତା’ ପଚାଷ ହଜାର
କନା ବାବଦରେ ଆଉ କିଛି ଦେଇ
ଚେକ୍ କାଟ ଷାଠିଏର ।
ଆଉ କେବେ ଯଦି ଏ ଭୁଲ୍ କରିବ
ସାବଧାନ କରୁଅଛି
ଏତିକିରେ କେବେ ମାନିଯିବି ନାହିଁ
ଆଜିଠୁ କହି ରଖୁଛି ।“
ହାଁ କରି ପତି ଚାହିଁ ରହିଥିଲେ
ପୂର୍ଣ୍ଣମୀର ତୋଫା ଜହ୍ନକୁ
ଆସିଲା କିପରି ଅମାବାସ୍ୟା ରାତି
ଏତେ ଶୀଘ୍ର ଜୀବନକୁ !
ଗୋଟିଏ ରାତିର ବଦଳେ ଖସିଲା
ହାତରୁ ଷାଠିଏ ହଜାର
ସେଦିନରୁ ବାବୁ ଜହ୍ନକୁ ଦେଖିଲେ
ହୁଅନ୍ତି କଟର ମଟର ।
-0-