ପୁରୁଷୋତ୍ତମ ଦେବ(35)
ପୁରୁଷୋତ୍ତମ ଦେବ(35)
ପୁରୁଷୋତ୍ତମ ଦେବ(35)
ଐତିହାସିକ କାବ୍ୟାଂଶ
ରାଣୀଅନ୍ତଃପୁରେ, ଅନ୍ତିମ କ୍ଷଣରେ,
ବିଦାୟ ଘେନିବାବେଳେ,
ଜେମାଙ୍କ କ୍ରନ୍ଦନେ ପ୍ରିୟ ସଖୀଙ୍କର
ହୃଦୟ ଦୁଃଖରେ ଜଳେ।
ବନ୍ଧନରୁ ମୁକ୍ତ, କାଞ୍ଚି ନରନାଥ,
ପହଞ୍ଚିଲେ ଜେମାପାଶ,
ଅନୁତାପାନଳେ ନୃପହୃଦ ଜଳେ
ବୋଇଲେ ହୋଇ ବିରସ।
"ଅପରାଧୀ ତୋର ,ମୁହିଁ ଜେମାମୋର,
କ୍ଷମା କରିଦେବୁ ଧନ,
ଅବିବେକପଣେ ଜାଣୁ ଜାଣୁ ନଷ୍ଟ
କରିଦେଲି ତୋ ଜୀବନ ।"
ପିତାଙ୍କର ବାଣୀ, ଶୁଣି ଜେମାମଣି
ଛାତିରେ ଉଠିଲା କୋହ,
ମନ ସରୋବର ହେଲା ଉଦ୍ବେଳିତ
ବିଳପିଲେ ଅହରହ।
ବୋଇଲେ "ପିଅର କନ୍ୟା ମୁଁ ତୁମ୍ଭର,
ନକୁହ ଏପରି କଥା,
ବଳବାନ ଅଟେ ସମୟ ,ତୁମ୍ଭର
ତିଳେ ଦୋଷନାହିଁ ପିତା।
ଦିଅ ଆଶୀର୍ବାଦ ମୋତେ ପୂଜ୍ୟପାଦ,
ଏହି ବିଦାୟ ବେଳାରେ,
ବିତିଯାଉ ମୋର ଜୀବନ, ଠାକୁର
ଜଗନ୍ନାଥଙ୍କ ସେବାରେ।
ବିନତି କରିବି ଜଗନ୍ନାଥ ସେବି,
ହେ ମୋର ପିତା ଈଶ୍ବର,
ଅଳ୍ପଦିନେ ଦୂର କରିବାକୁ ତୁମ୍ଭ
କାଳରାତ୍ରୀ ଦୁର୍ଦ୍ଦିନର।"
ପିତାମାତା ପାଦେ ପ୍ରଣମି ବିଷାଦେ
ବିଦାହେଲେ ରୂପାମ୍ବିକା,
ଗୋବିନ୍ଦ ଭଞ୍ଜଙ୍କ ନିର୍ଦ୍ଦେଶକୁ ଘେନି
ଆରୋହିଲେ ସେ ଶିବିକା।
କାକୁସ୍ଥ ମୁଦ୍ରାରେ ବିଜୟୀ ଛାମୁରେ
ଶାଲ୍ୱନରସିଂହ ଭଣି,
"କନ୍ୟାକୁ ମୋହର କ୍ଷମା କରିଦେବ,
ଉତ୍କଳ ମଉଡମଣି।
ଶିର ପଛେ ମୋର ଛିନ୍ନକର ବୀର
କନ୍ୟାକୁ ନଦିଅ ଦଣ୍ଡ,
କାଳ କ୍ରୁର ନିର୍ଦେଶରେ କି ବେଳାରେ
ଦୋଷ କଲି ମୁଁ ପାଷଣ୍ଡ।"
କର୍ତ୍ତବ୍ୟର ଦାସ ,ଉତ୍କଳ ନରେଶ,
ଥିଲେ ଗମ୍ଭୀର ମୁଦ୍ରାରେ,
ବୋଇଲେ "ରାଜନ ! ଛାମୁରେ ଯେ ପଣ
କରିଛି ଭାଙ୍ଗିନପାରେ।
ଜଗନ୍ନାଥଙ୍କର ଅଟେ ମୁଁ କିଙ୍କର
ପାଦେ କରିଛି ଶପଥ,
କାଞ୍ଚି ରାଜ୍ୟ ଜିଣି ଚଣ୍ଡାଳର ତୁଲେ
ଦେବି ରାଜଜେମା ହାତ।"
ଗଜପତି ଗୀର ଶୁଣି ଶାଲ୍ୱଙ୍କର
ମୁଖରୁ ନ ସ୍ଫୁରେ ବାଣୀ,
କଣ୍ଠ ବାଷ୍ପରୁଦ୍ଧ ,ଚାହିଁଲେ ନିର୍ବୋଧ-
ସମ ଶୁନ୍ଯେ ନରମଣି।
ଯୁଦ୍ଧଧ୍ୱସ୍ତ କାଞ୍ଚିରାଜ୍ୟର ନୂତନ
ନିର୍ମାଣ ବ୍ୟବସ୍ଥା କରି,
ଦଳବଳ ଧରି ଉତ୍କଳ କେଶରୀ
ଫେରିଲେ ବଜାଇ ତୁରୀ।
ମହା ଆଡମ୍ବରେ ଉତ୍କଳର ପୁରେ
ପୁରେ ହେଲା ମହୋତ୍ସବ,
କାଞ୍ଚିଗଡ ଜିଣି ଫେରିଛନ୍ତି ପରା
ଶ୍ରୀପୁରୁଷୋତ୍ତମ ଦେବ।
ଜଗନ୍ନାଥଙ୍କର ବିଜୟ ବାରତା
କାନୁ କାନେ ପ୍ରସରଇ,
ଗଜପତିଙ୍କର ପଣ କଥା ଆଉ
ଗୋପ୍ୟ ନଥିଲା କା'ପାଇଁ।
ପ୍ରାସାଦେ ପହଞ୍ଚି ମହାମନ୍ତ୍ରୀ ବିମ୍ବା-
ଧରଙ୍କୁ ଡାକି ମଣିମା,
ବୋଇଲେ "ସୁଯୋଗ୍ୟ ଚଣ୍ଡାଳର ତୁଲେ
ବିଭାହେବେ କାଞ୍ଚିଜେମା।
କାଞ୍ଚି ଅଭିଯାନ ପୂର୍ବରୁ ମୁଁ ପଣ
କରିଛି ପ୍ରଭୁଙ୍କଠାରେ,
କାଞ୍ଚିରାଜ୍ୟ ଜୟକରି ରାଜଜେମା
ଦେବି ଚଣ୍ଡାଳ ହାତରେ।
ରାଜପ୍ରାସାଦରେ ରହିବା ଉଚିତ
ନୁହେଁ ରାଜଜେମାଙ୍କର,
ଯୋଗ୍ୟ ଚଣ୍ଡାଳରେ ଅବିଳମ୍ବେ କନ୍ୟା
ବିଭାଦିଅ ବିମ୍ବାଧର।"
ବୋଲନ୍ତେ ନୃପତି ତହୁଁ ମହାମନ୍ତ୍ରୀ
ସଙ୍ଗେ ନେଲେ କନ୍ୟାରତ୍ନ,
ନିଜ ନବରରେ ପହଞ୍ଚି ଜେମାଙ୍କୁ
ଅର୍ପିଲେ ଯୋଗ୍ୟ ଆତିଥ୍ୟ।
ଜେମାଙ୍କୁ ଅନାଇ ବିମ୍ବାଧର କହି
"ତୁମ୍ଭେ ମୋ କନ୍ୟା ସମାନ,
ଶୁଣିଛି ମୁଁ ତୁମ୍ଭ ନାମ ପଦ୍ମାବତୀ
ଦେଇଥିଲେ ନରରାଣ।
ସେହିନାମେ ଆଜଠାରୁ ପରିଚିତ
ହୋଇବ ମୋର ନବରେ,
ପିତା ମୁଁ ତୁମ୍ଭର,ମାତା ପତ୍ନୀ ମୋର
ନୂତନ ପରିଚୟରେ।
ମନେ ତିଳେ ଚିନ୍ତା ନକର ଦୁହିତା
ଚିନ୍ତା ଚିତାସମ ଘୋର,
ଭାଗ୍ୟରେ ଥିଲେ ଟି ରାଜଯୋଗ
ତୁମ୍ଭେ ହେବ ରାଣୀ ସମ୍ରାଟର।
ତୁମ୍ଭ ଭାଗ୍ୟରେଖା ଆନ କରିବାକୁ
ଶକ୍ତି ଅଛି ମା' କାହାର ?
ସହଜେ ତ ତୁମ୍ଭେ ପରମ ସେବିକା
ପ୍ରଭୁ ଜଗନ୍ନାଥଙ୍କର।"
ବିମ୍ବାଧରଙ୍କର ବାଣୀ ସୁଧାବୃଷ୍ଟି
କଲା ଜେମାଙ୍କ କର୍ଣ୍ଣରେ,
ପାଦେ ମଥାରଖି ପ୍ରଣମିଲେ ଧର୍ମ-
ପିତା ମାତାଙ୍କ ପୟରେ।
ହୋଇ କୃତ୍ୟ କୃତ୍ୟ ଅଶ୍ରୁଜଳେ ସିକ୍ତ-
କରି ବକ୍ଷ ଜେମାମଣି,
ବୋଇଲେ "ହେ ପିତା ! ମୋ ଜୀବନ ଦାତା
ଧନ୍ୟହେଲି ଏହାଶୁଣି।
ଏତିକି ମାଗୁଣି ହେ ପିତା,ଜନନୀ
ପ୍ରତିଦିନ ଶ୍ରୀମନ୍ଦିର,
ମୋତେ ନେବ ସଙ୍ଗେ ଆଳତି ସମୟେ
ପ୍ରଭୁ ଚକାଡୋଳାଙ୍କର।"