ପ୍ରିୟତମା
ପ୍ରିୟତମା
ପ୍ରିୟତମା….
ତୁମେ ଅଳଷୀ ନଇ ର ନିରୀହ ଧାରା
ମୁଁ ଫଟା ମାଟି ଟିଏ ପଥହରା
ତୁମେ ଚାନ୍ଦିନୀ ରାତି ଟେ ଜ୍ଜୋତ୍ସ୍ନା ଭରା
ମୁଁ ପାହାନ୍ତି ପ୍ରହର କୁଆଁ ତାରା
ପ୍ରିୟତମା…
ତୁମେ ଶୀତ ସକାଳ ର କଅଁଳ ଖରା
ମୁଁ ଭିଜା କୁହୁଡି ର ବଖରା
ତୁମେ ଶିକ୍ତ ଗୋଲାପ ର ପାଖୁଡା
ମୁଁ ମଧୁକର ଅଛି ବେସାହାରା
ପ୍ରିୟତମା…
ତୁମେ ଆଦ୍ୟ ଯୌବନ ର ସୌରଭ
ମୁଁ ଝରା ବଉଳର ବିଭବ
ତୁମେ ପାନ୍ଥଶାଳାର ଗୌରବ
ମୁଁ ଯାଯାବର ଶୁଷ୍କ ମାନବ
ପ୍ରିୟତମା….
ତୁମେ ପହିଲି ବରଷା ଶ୍ରାବଣର
ମୁଁ ସୁରଭି ସେ ଭିଜା ମାଟିର
ତୁମେ ପିରତି ବିଶାଳ ଅମ୍ବର
ମୁଁ ଭସା ବାଦଲଟେ ଶରତର
ପ୍ରିୟତମା…
ତୁମେ ବଇଁଶୀ ର ସ୍ୱର ଝଙ୍କାର
ମୁଁ ଖୋଲା ହୃଦୟ ସେ ବଇଁଶୀ ର
ତୁମେ ରକ୍ତିମ ଫୁଲ ର ଅଧର
ମୁଁ ମଧୂଶିକ୍ତ ବାତୁଳ ମଧୁଚୋର
ପ୍ରିୟତମା…
ତୁମେ ବୈଶାଖି ଖରା ରେ ଆଦ୍ର ଛାଇ
ମୁଁ ତୁମ ଛାଇ ତଳ ଫଟା ଭୁଇଁ
ମୁଁ ସୁଧାଧାର ତୁମେ ନୀଳକଇଁ
ମୋର ରାତି ସରେ ତୋତେ ଚାହିଁ ଚାହିଁ
ପ୍ରିୟତମା…
ସବୁପରେ
ତୁମେ ଗଙ୍ଗା ହେଲେ ମୁଁ ଗଙ୍ଗାଧର
ତୁମେ କବିତା ଟେ ମୁଁ ତୋ କବିବର
ତୁମେ ଇଶ୍ୱରୀ ମୁଁ ତୋ ଇଶ୍ୱର
ମୁଁ ଶୂନ୍ୟତା ତୁ ମୋ ସଂସାର