ବିଦାୟୀ ସନ୍ଧ୍ୟା ଗୋ
ବିଦାୟୀ ସନ୍ଧ୍ୟା ଗୋ
1 min
317
ସମ୍ପ୍ରତି ବର୍ଷର
ବିଦାୟୀ ସନ୍ଧ୍ୟା ଗୋ !
ଅର୍ଦ୍ଧ ନିମିଲିତ ନୟନ ନେଇ ।
ବିଷାଦକୁ ନିଜ
ଅଙ୍ଗ ବସ୍ତ୍ର କରି
ମଉନେ ଲୁଚିଛ କୋଣରେ ଯାଇ ।
ସରମି ଯାଇଛି
ନରମ ନୟନ
ଅବା ଭିଜିଅଛି ନିରାଶା ନୀରେ ।
ଶୋକ ସନ୍ତାପିତ
କାରୁଣ୍ୟ ଚାହାଣି
ମରମେ ମରମେ ଦରଦ ଭରେ ।
ମେଲାଣି ନେଉଛ
ମୋ' ଏ ଅଗଣାରୁ
ସେଇଥିପାଇଁ କି ଏତେ ଉଦାସ ।
ଉଦାସୀ ସନ୍ଧ୍ୟା ଗୋ
ଦୁଃଖ କର ନାହିଁ
ଭୁଲିବିନି କେବେ ତୁମ ସଂସ୍ପର୍ଶ ।
ଇତିହାସ କେବେ
ଭୁଲି ପାରିବିନି
ଆଗାମୀ ଯୁଗକୁ ସ୍ୱାଗତ କରି ।
ଆଗାମୀ ଯୁଗ ତ
ନିତ୍ୟ ଅନିଶ୍ଚିତ
ଅତୀତ ଯେ ଅନ୍ତରଙ୍ଗ ମୋହରି ।
ସନ୍ଧ୍ୟା ଗୋ,ତୁମରି
ଅନ୍ତରଙ୍ଗତା ରେ
ନୂଆ ସକାଳକୁ ସଜେଇ ଦେବ ।
ସୁନେଲି ସକାଳ
ନିର୍ମିବ ନିର୍ମାଲ୍ୟ
ନୂଆ ବରଷ ବି ବୈଭବା ହେବ ।
ଶୁଭଦା ସନ୍ଧ୍ୟା ଗୋ
କାଲିର ସନ୍ଧ୍ୟା ଯେ
ଗେଲ୍ହେଇ, ତୁମରି ସାନ ଭଉଣୀ ।
ତୁମ ଅସ୍ତରାଗେ
ସିମନ୍ତିନୀ ସାଜି
ନାଇବ ଅନୁପ ରଙ୍ଗେ ଓଢଣୀ ।
ବର୍ଷ ଭଉଣୀ ଗୋ
ଦିବ୍ୟ ଓଢଣୀରେ
ତୁମରି ସୀମନ୍ତ ସଜେଇ ଦେବି ।
ଲକ୍ଷ୍ମୀ ସରସ୍ୱତୀ
ଶାଶ୍ୱତୀ ରୂପରେ
ପାଇବି ତୁମକୁ,ଆଶା ରଖିବି ।
ସୁବର୍ଣ୍ଣ ପ୍ରତିମା
ରୂପେ ନିରୂପମା
ମୋହିନୀ କନ୍ୟାର ଆଭୂଷଣରେ ।
ସାରା ସଂସାରକୁ
ଆଦରି ନେବ ଗୋ
ସୁଖରେ ସୁଖରେ,ହସ ଖୁସିରେ ।
ନ ରହିବେ କେହି
ଆତଙ୍କି ବୈଦେହୀ
ଅଭାବ ଅଙ୍କକୁ ଲିଭେଇ ଦେବ ।
ହସି ହସାଇବ
ଏ ସାରା ସଂସାର
ହସରେ ହସରେ ଉଲ୍ଲସି ଯିବ ।